![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ପୂର୍ବରୁ ଜମ୍ମୁ-କଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଧାରା ୩୭୦ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା ସହ ଧାରା ୩୭୦ହଟାଇବା ପରେ ସେଠାରେ କ’ଣ ପରିବର୍ତ୍ତନ ଆସିଛି, ସେ ନେଇ ପ୍ରଶ୍ନ କରିଥିଲେ ବିରୋଧୀ।ଏହା ପରେ ବିରୋଧୀ ଦଳ ଉଠାଇଥିବା ସମସ୍ତ ପ୍ରଶ୍ନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିସ୍ତୃତ ଭାବେ ଉତ୍ତର ରଖିଥିଲେ। ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟମାନ୍ୟତା ଦିଆଯିବ ବୋଲି ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖି ଅମିତ ଶାହା କହିଥିଲେ ଯେ, ସଠିକ ସମୟ ଆସିଲେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦିଆଯିବ।
ଅନେକ ସାଂସଦ କହୁଛନ୍ତି ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୧ ଆଣିବା ଅର୍ଥ ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବ ନାହିଁ। ମୁଁ ବିଲ୍ ଉପସ୍ଥାପନ କରୁଛି ଏବଂ ଏହାର ପରିଚାଳନା କରୁଛି। ମୁଁ ମୋର ଉଦ୍ଦେଶ୍ୟ ସ୍ପଷ୍ଟ କରିସାରିଛି। କୌଣସି ସ୍ଥାନରେ ଏହା ଲେଖା ନାହିଁ ଯେ, ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବ ନାହିଁ। ଆପଣ କେଉଁଠାରୁ ଏଭଳି କଥା ଆଣୁଛନ୍ତି ବୋଲି ଅମିତ ଶାହା ବିରୋଧୀଙ୍କୁ ପଚାରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏହି ଗୃହରେ ଆଗରୁ କହିଛି ଏବଂ ମୁଁ ପୁଣି ଥରେ କହୁଛି ଯେ, ଜମ୍ମୁ-କଶ୍ମୀର ରାଜ୍ୟମାନ୍ୟତା ପାଇବା ସହ ଏହି ବିଲ୍ର କୌଣସି ସମ୍ପର୍କ ନାହିଁ। ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟମାନ୍ୟତା ଦିଆଯିବ। ”