![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: ଆଜି ‘ମନ୍କି ବାତ୍’ରେ ଜଳ ସଙ୍କଟ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଅଳ୍ପ କେତେ ଦିନ ମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ‘ବର୍ଷା ଧରା’ ଅଭିଯାନ ଆରମ୍ଭ କରିବ। ଏହାର ସ୍ଲୋଗାନ୍ ହେଉଛି, ‘ଯେଉଁଠି ପଡୁଛି, ଯେତେବେଳେ ପଡୁଛି, ବର୍ଷାକୁ ଧର’।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ସଦ୍ୟତମ ଗଣନା ଅନୁସାରେ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ସମୁଦାୟ ୧୧୨ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୋଇଛନ୍ତି। ଏହାର କାରଣ ହେଉଛି ଜଳ ସଂରକ୍ଷଣ ଏବଂ ସ୍ୱଳ୍ପ ମାନବୀୟ ହସ୍ତକ୍ଷେପ।
ଜାତୀୟ ବିଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଡକ୍ଟର୍ ସିଭି ରମଣଙ୍କ କାର୍ଯ୍ୟ ସବୁକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, ମୋର ଇଚ୍ଛା, ଯୁବବର୍ଗ ଭାରତୀୟ ବୈଜ୍ଞାନିକ ଏବଂ ସେମାନଙ୍କର କୃତ୍ୱିତ୍ୱ ବିଷୟରେ ପଢ଼ନ୍ତୁ। ‘ପରୀକ୍ଷାଗାରରୁ କ୍ଷେତ୍ରକୁ ନେବା’ ମନ୍ତ୍ରଦ୍ୱାରା ବିଜ୍ଞାନକୁ ସମ୍ପ୍ରସାରଣ କରିବା ଆବଶ୍ୟକ।
ବିଜ୍ଞାନକୁ ଅଧିକ ଜନପ୍ରିୟ କରିବା ଲାଗି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଆଜିର ‘ମନ୍କି ବାତ୍’ରେ ପ୍ରଧାନମନ୍ତ୍ରୀ ଅନେକ କୃଷକ ଚଳାଇଥିବା ଉନ୍ନତ ତଥା ଅଭିନବ ଚାଷ ପଦ୍ଧତି କଥା ଉଲ୍ଲେଖ କରିଛନ୍ତି।
ସନ୍ଥ ରବି ଦାସଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ସମ୍ମାନ ଜ୍ଞାପନ କରିବା ସହ ତାଙ୍କର ବିଚାରଧାର ଆମକୁ ପ୍ରେରତ କରିବ ବୋଲି କହିଛନ୍ତି। ଆଜିକାର ଯୁବବର୍ଗଙ୍କ ଉଦ୍ଭାବନ କରିବାର ମନୋଭାବ ରବି ଦାସଙ୍କୁ ଗର୍ବିତ କରିଥାଆନ୍ତା ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତର ପ୍ରଥମ ସର୍ତ୍ତ ହେଲା ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଉତ୍ପାଦ ପାଇଁ ଗର୍ବ ଅନୁଭବ କରିବା। ଦେଶର କୋଣଅନୁକୋଣକୁ ଆତ୍ମନିର୍ଭର ଭାରତ ସ୍ଲୋଗାନ ବ୍ୟାପିଯାଇଛି। ଆତ୍ମନିର୍ଭର ଭାରତ ଖାଲି ସରକାରଙ୍କ ଉଦ୍ୟମ ନୁହେଁ। ଏହା ହେଉଛି ଭାରତର ଜାତୀୟ ଉଚ୍ଛ୍ୱାସ। ସମଗ୍ର ଦେଶର ଅନେକ ବ୍ୟକ୍ତି ଆତ୍ମନିର୍ଭର ଭାରତ ପ୍ରତି ଅବଦାନ ଦେଉଛନ୍ତି। ଯେମିତି ଦିଲ୍ଲୀର ଏକ ‘ଏଲ୍ଇଡି’ ବଲ୍ବ କାରଖାନାରେ କାମ କରୁଥିବା ବେତ୍ତିଆର ପ୍ରମୋଦଜୀ ବଲ୍ବ୍ ଉତ୍ପାଦନ ପ୍ରକ୍ରିୟା ଶିଖି ନିଜ ଗ୍ରାମରେ ଏକ ଛୋଟ ‘ଏଲ୍ଇଡି’ ବଲ୍ ଉତ୍ପାଦନ ସଂସ୍ଥା ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍କି ବାତ୍’ର ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ମୋର ଗୋଟାଏ ଭୁଲ୍ ହେଉଛି, ତାମିଲ ଶିଖିବାକୁ ମୁଁ ଯଥେଷ୍ଟ ଉଦ୍ୟମ କରି ପାରିନାହିଁ। ଦୀର୍ଘ ବର୍ଷ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦବୀରେ ଥାଇ ସେ କିଛି ହରାଇଛନ୍ତି କି, ବୋଲି ଶ୍ରୋତାଜଣକ ପଚାରିଥିଲେ।
ଆଞ୍ଚଳିକ ଭାଷାରେ ଭାରତୀୟ କ୍ରୀଡ଼ାର ଧାରାବିବରଣୀର ପ୍ରସାର ନିମନ୍ତେ ଆମେ ଚିନ୍ତା କରିବା ଆବଶ୍ୟକ। ଯୋଦ୍ଧା ହୁଅ, ଚିନ୍ତାକୁଳ ହୁଅନାହଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଲେ ଯେ, ‘ନାୟକ ସାର୍’ ବୋଲି ଜଣାଶୁଣା ଓଡ଼ିଶାର ଅରଖୁଦାର ସିଲୁ ନାୟକ ହେଉଛନ୍ତି ଜଣେ ଅଭିଯାତ୍ରୀ। ନିରାପତ୍ତା ବଳରେ ଯୋଗ ଦେବାକୁ ଆଗ୍ରହୀ ଯୁବକମାନଙ୍କୁ ସେ ସବୁ ଦିଗରେ ମାଗଣା ତାଲିମ ଦେଉଛନ୍ତି। ଦେଶ ସେବା ଲାଗି ସେ ଅନେକଙ୍କୁ ତାଲିମ ଓ ପରାମର୍ଶ ଦେଇଛନ୍ତି।
‘ମନ୍କି ବାତ୍’ ଲାଗି କଳା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଷୟରେ ନିଜସ୍ୱ ପ୍ରେରଣାଦାୟୀ ଅନୁଭୂତି ପଠାଇବା ଲାଗି ଫେବ୍ରୁଆରି ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନୁରୋଧ କରିଥିଲେ। ହିନ୍ଦୀ କିଂବା ଇରାଜୀରେ ସେମାନଙ୍କର କଥା ରେକର୍ଡ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଏକ ‘ଟୋଲ୍-ଫ୍ରି’ ନମ୍ବର ସେୟାର କରିଥିଲେ।