କେନ୍ଦୁଝର ଜିଲ୍ଲାର ୧୩ ବର୍ଷ ବୟସ୍କ ବାଳକ ବାଦଲ ପରିଡାଙ୍କ ହୃଦୟ ପ୍ରତିରୋପଣ ସଫଳ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ ପୂର୍ବ ଭାରତର ସବୁଠାରୁ କମ ବୟସର ବାଦଲଙ୍କ କ୍ଷେତ୍ରରେ ଏହି ପ୍ରତିରୋପଣ ସଫଳ ହୋଇଛି। କୋଲକାତା ହାୱଡା ସ୍ତିତ ନାରାୟଣ ସୁପର ସ୍ପେସାଲିଟି ହସ୍ପିଟାଲରେ ଏହି ହୃଦୟ ପ୍ରତିରୋପଣ କରାଯାଇଛି। ରାଜ୍ୟ ସରକାର ଏଥିପାଇଁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ସୂଚନାନୁଯାୟୀ ଗତ ୨ ତାରିଖରେ ଏହି ପ୍ରତିରୋପଣ କରାଯାଇଥିଲା। ବାଦଲ ଜନ୍ମରୁ ଏହି ରୋଗରେ ପୀଡିତ ଥିଲେ ଯାହାକୁ ଡାକ୍ତରୀ ଭାଷାରେ ଏବଷ୍ଟେନ୍ସ ଅନୋମାଲି କୁହାଯାଏ। ସେ ଡାକ୍ତରଖାନାରେ ଭର୍ତ୍ତି ହେବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଖାନା ତାଙ୍କୁ ଚଳିତ ବର୍ଷ ଜାନୁଆରୀରେ ରୋଟୋ ଏବଂ ନୋଟୋରେ ତାଲିକାଭୁକ୍ତ କରିଥିଲା। ମେଦିନାପୁରର ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ବ୍ରେନ ଡେଡ଼ ଘଟଣାରେ ଆପୋଲୋରେ ମୃତ ଘୋଷଣା କରାଯିବ ପରେ ସେହି ପରିବାର ତାଙ୍କ ଅଙ୍ଗ ଦାନ କରିଥିଲେ। ରୋଟୋ ବାଦଲଙ୍କୁ ସମ୍ପୃତ ଯୁବକଙ୍କ ହୃଦୟ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରିଥିଲେ।