ଭୁବନେଶ୍ବର ଏମ୍ସରେ ସ୍ଥାପନ ହେବ ଜୀବନ ରକ୍ଷାକାରୀ ଇକମୋ ମେସିନ, କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ ମିଳିବ ଚିକିତ୍ସା ସେବା

ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଲାଗିବ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତ ଯେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ୨ଟି ଇକ୍ମୋ ମେସିନ ଲାଗିବ। ପ୍ରଥମ ଇକ୍ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲଗାଯିବ। ତେବେ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଇକ୍ମୋ ମେସିନ ସ୍ଥାପନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଇକ୍ମୋ ମେସିନ ପରିଚାଳନା ପାଇଁ ଭୁବନେଶ୍ବର ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ପ୍ରଶିକ୍ଷଣ ଦିଆଯାଇଛି ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି।
ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଇକ୍ମୋ ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାର କୌଣସି ସରକାରୀ ମେଡିକାଲ୍ରେ ଇକ୍ମୋ ମେସିନ୍ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇସାରିଲାଣି। ଏପରି ସ୍ଥିତିରେ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମ୍ସରେ ଇକ୍ମୋ ମେସିନ୍ ସ୍ଥାପନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି। ଏହା ନିଶ୍ଚିତ ଓଡ଼ିଶା ପରି ରାଜ୍ୟ ପାଇଁ ଖୁସି ଖବର। ଭୁବନେଶ୍ବର ଏମ୍ସରେ ଇକମୋ ମେସିନ୍ ଲାଗିଲେ ଭବିଷ୍ୟତରେ ଆଉ ରାଜ୍ୟ ବାହାରକୁ ଗୁରୁତର ରୋଗୀଙ୍କୁ ଏୟାରଲିପ୍ଟିଂ କରିବାକୁ ପଡ଼ିବନାହିଁ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି।