ରୋଜୋ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶୁକ୍ରବାର ଦିନ ଡୋମିନିକା ହାଇକୋର୍ଟ ପଳାତକ ହୀରା ସୌଦାଗର ମେହୁଲ୍ ଚୋକ୍ସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବିଚାରପତି ୱିଇନାଣ୍ଟେ ଆଡ୍ରିନ୍-ରବର୍ଟସ୍ କହିଲେ, ଜାମିନ ମଞ୍ଜୁର ହେଲେ ବିଚାର ଆଗରୁ ଚୋକ୍ସି ଦେଶ ଛାଡ଼ି ଚାଲିଯିବାର ଆଶଙ୍କା ଅଛି।
ଶୁକ୍ରବାର ଦିନ ଚୋକ୍ସିଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ ଯେ, ଜଣେ ‘କାରିକମ୍’ (କାରବୀୟ ସମ୍ପ୍ରଦାୟ) ନାଗରିକ ହୋଇଥିବାରୁ ସେ ଜାମିନ ପାଇବାକୁ ହକ୍ଦାର। କାରଣ, ଆଇନତଃ ଏଭଳି ଅପରାଧ ଲାଗି ‘୫,୦୦୦ ଇଷ୍ଟ୍ କାରାବିୟାନ୍ ଡଲାର’ ଜରିମାନା ଦାଖଲ କଲେ ତାଙ୍କୁ ଜାମିନ ମିଳିଯିବା କଥା। ନଗଦ ଟଙ୍କା ବିନିମୟରେ ଜାମିନ ଦିଆଯାଉ ବୋଲି ମଧ୍ୟ ଓକିଲମାନେ ଅଦାଲତଙ୍କୁ ଅନୁରୋଧ କରିଥିଲେ। ସେମାନେ ଆହୁରି ମଧ୍ୟ ଦର୍ଶାଇ ଥିଲେ କି, ଅଭିଯୁକ୍ତ ଅସୁସ୍ଥ ଥିବାରୁ ଦେଶ ଛାଡ଼ି ଚାଲିଯିବା ଆଶଙ୍କା ଅମୂଳକ।
କିନ୍ତୁ, ବିଚାର ପୂର୍ବରୁ ଦେଶ ଛାଡ଼ି ଚାଲିଯିବା ଆଶଙ୍କା ଥିବା ଏବଂ ଇଣ୍ଟର୍ପୋଲ୍ ‘ରେଡ୍ ନୋଟିସ୍’ ଜାରି କରିଥିବା କାରଣରୁ ସରକାରୀ ଓକିଲ ଲିନୋକ୍ସ୍ ଲରେନ୍ସ୍ ଚୋକ୍ସିଙ୍କ ଜାମିନକୁ ବିରୋଧ କରିଥିଲେ।
ଚୋକ୍ସିଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗକୁ ଉଦ୍ଦେଶ୍ୟ କରି ଲରେନ୍ସ୍ କହିଲେ, ଆବଶ୍ୟକ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ତାହା ଆଉ ସମସ୍ୟା ହୋଇ ରହିନାହିଁ।
ସ୍ମରଣଯୋଗ୍ୟ, ରୋଜୋ ମାଜିଷ୍ଟ୍ରେଟ୍ ଜାମିନ ଆବେଦନ ଖାରଜ କରିଦେବା ପରେ ମେହୁଲ୍ ଚୋକ୍ସି ହାଇକୋର୍ଟରେ ନିବେଦନ କରିଥିଲେ। ଦ୍ବୀପ ଦେଶ ଡୋମିନିକାକୁ ସେ ବେଆଇନ ଭାବେ ପ୍ରବେଶ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତା’ଛଡ଼ା ଗୁରୁବାର ଦିନ ଡୋମିନିକା ସରକାର ତାଙ୍କୁ ‘ନିଷିଦ୍ଧ ଅନୁପ୍ରବେଶକାରୀ’ ଘୋଷଣା କରିଛନ୍ତି।