![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତ ବିରୋଧୀ ମନ୍ତବ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିଜ ଦଳରୁ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ତେଜିବାରେ ଲାଗିଛି। ଏବେ ଓଲିଙ୍କ ଇସ୍ତଫା ଦାବି କରିଛି ତାଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି। ଏହା ମଧ୍ୟରେ ବୁଧବାର ସକାଳେ କେପି ଓଲି ନିଜର କିଛି ମନ୍ତ୍ରୀଙ୍କ ସହ ବୈଠକ ଡକାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଭର୍ତ୍ସନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମର ଦହଲ୍ ପ୍ରଚଣ୍ଡ।
![](https://i0.wp.com/kalingajyoti.com/wp-content/uploads/2020/07/images-1-1.jpg?resize=584%2C334)
ଓଲି କଟୁ, କୂଟନୀତିହୀନ ଓ ଅଣରାଜନୈତିକ ମନ୍ତବ୍ୟ ଦେଇଛନ୍ତି। ସେ ଷଡ଼ଯନ୍ତ୍ରର ପ୍ରମାଣ ଦିଅନ୍ତୁ, ନହେଲେ ପଦ ଛାଡନ୍ତୁ ବୋଲି ବରିଷ୍ଠ ନେତା କହିଛନ୍ତି। ଏହି ବୈଠକରେ ନିଜେ ଉପସ୍ଥିତ ଥିଲେ ଓଲି। ତାଙ୍କ ସାମ୍ନାରେ ତାଙ୍କର ଇସ୍ତଫା ଦାବି ପରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଓଲି ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ବେଳେ ନେପାଳ କମ୍ୟୁନିଷ୍ଟ ପାର୍ଟିର ଆଭିମୁଖ୍ୟରୁ ଜଣାପଡୁଛି, ଓଲି ସହିତ ସରକାରୀ ଦଳ ଏକମତ ନୁହେଁ। ଏବେ ଖବର ମିଳିଛି ଯେ ଯଦି ପ୍ରଧାନମନ୍ତ୍ରୀ ଓଲି ନିଜ ପଦରୁ ଇସ୍ତଫା ନଦିଅନ୍ତି, ତାହେଲେ ମାଓବାଦୀ କ୍ୟାମ୍ପର କିଛି ମନ୍ତ୍ରୀ ସାମୂହିକ ଭାବେ ଇସ୍ତଫା ଦେଇପାରନ୍ତି। କାରଣ ଏବେବି ପାର୍ଟିର ସ୍ଥାୟୀ କମିଟିରେ କେପି ଓଲିଙ୍କ ପାଖରେ ବହୁମତ ନାହିଁ। ଏଭଳି ସ୍ଥିତିରେ ସେ ନିଜ ସଂସଦୀୟ ପାର୍ଟିକୁ ମଜବୁତ୍ କରିବା ପାଇଁ ଚିନ୍ତିତ ଅଛନ୍ତି। କିଛି ଦିନ ତଳେ ଓଲି କହିଥିଲେ ଯେ ଭାରତ ତାଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରୁଛି। ତା ସହିତ ଭାରତର କେତେକ ସ୍ଥାନକୁ ନେପାଳର ବୋଲି ଦର୍ଶାଇ ନିଜ ଦେଶର ନୂଆ ମ୍ୟାପ ତିଆରି କରିଥିଲେ। ତେବେ ଏହାକୁ ଦଳ ତରଫରୁ ନାପସନ୍ଦ କରାଯାଇଛି।