ସଂକ୍ରମଣ ବଢିଲେ ଆଉଥରେ ହୋଇପାରେ ଲକ୍ଡାଉନ୍! ଡେଲ୍ଟା ପ୍ଲସ୍ ଆକ୍ରାନ୍ତଙ୍କ ପାଖ ଦେଇ ଗଲେ ବି ହୋଇପାରନ୍ତି ସଂକ୍ରମିତ -ଏମସ୍ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ
ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଡେଲ୍ଟାପ୍ଲସ ଆକ୍ରାନ୍ତଙ୍କ ପାଖ ଦେଇ ଚାଲିକରି ଗଲେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଏମସ୍ର ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ ପ୍ରକାଶ କରିଛନ୍ତି । ଏହା ଏକ ନୂଆ ମ୍ୟୁଟେସନ୍ । ଅନ୍ୟ ପ୍ରତିରୂପ ଅପେକ୍ଷା ଏହା ଦ୍ରୁତଗତିରେ ବ୍ୟାପୁଥିବା ଏବଂ ଅଧିକ ସଂକ୍ରମିତ ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତେ ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା ଏବଂ ହାତକୁ ବାରମ୍ବାର ସାନିଟାଇଜ୍ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍ ପରୀକ୍ଷଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ମନୋକ୍ଲୋନାଲ ଆଣ୍ଟିବଡିକୁ ମଧ୍ୟ ପ୍ରତିହତ କରୁଥିବା କଥା ସେ ପ୍ରକାଶ କରିଛନ୍ତି । ଶରୀରର ପ୍ରତିରୋଧକ ଶକ୍ତିକୁ ଏହା ଚକମା ଦେଇ ସଂକ୍ରମିତ କରୁଛି । ଏଥିରେ ଫୁସ୍ଫୁସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ତେବେ ଏହା ବିରୋଧରେ ଟିକା କେତେ ପ୍ରତିଶତ କାର୍ଯ୍ୟ କରୁଛି ସେଥିପାଇଁ ଜିନୋମ ସିକ୍ୟୁଏନ୍ସ କରାଯାଉଥିବା ସେ ପ୍ରକାଶ କରିଛନ୍ତି । ଭାରତରେ ଏହାର ସଂକ୍ରମଣ ଦେଖାଯାଇଥିଲେ ମଧ୍ୟ ଏହା ବହୁତ କମ୍ ବୋଲି କହିଛନ୍ତି । ସମସ୍ତେ ଆସନ୍ତା କିଛି ମାସ ବହୁତ ସାବଧାନ ରହିବା ପାଇଁ ସେ କହିଛନ୍ତି ।
ମଙ୍ଗଳବାରରେ ୨୨ଟି ଏପରି ମାମଲା ଆସିଥିବା କଥା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଭାରତ ବାହାରେ ୯ଟି ଦେଶରେ ଡେଲ୍ଟା ପ୍ଲସ ଭାଇରସ୍ ଦେଖିବା ପାଇଁ ମିଳିଛି । ସମସ୍ତେ ଏଥିପାଇଁ ଅଧିକ ସତର୍କ ହୋଇ ରୁହନ୍ତୁ ବୋଲି ଗୁଲେରିଆ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ବଢିଲେ ଆଉଥରେ ଲକ୍ଡାଉନ୍ ହୋଇପାରେ ବୋଲି ଗୁଲେରିଆ କହିଛନ୍ତି ।
ଆସନ୍ତା ୬ରୁ ୮ ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତେବେ କୋଭାକ୍ସିନ୍ ଏବଂ କୋଭାସିଲ୍ଡ ବେଶ୍ ଭଲ କାମ କରୁଥିବା କଥା ସେ କହିଛନ୍ତି ।