ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।
ତାଙ୍କ ସୂଚନା ମୁତାବକ, ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇ ପାନ ହିସାବରେ ୧୮ ଲକ୍ଷ ୧୪ ହଜାର ପାନ ଟିକା ଦେବାକୁ ଲକ୍ଷ୍ୟ ରହିଥିଲା। ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ପାନ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ପାନ ନେଇଛନ୍ତି। ୭ ଲକ୍ଷ ୭୬ ହଜାର ୧୫୦ ଜଣ ଦୁଇ ପାନ ଯାକ ଟିକା ନେଇ ସାରିଛନ୍ତି।
ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି ଏବଂ ବର୍ତ୍ତମାନ ଏଠାରେ ଟିକାର କୌଣସି ଅଭାବ ନାହିଁ। ସମସ୍ତ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯାଉଛି। ରାଜଧାନୀବାସିନ୍ଦାଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯାଉଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ସେଠୀ।