ଭୁବନେଶ୍ବର ୧୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସନ୍ଧ୍ୟା ୭.୧୫ଟା ସୁଦ୍ଧା ୩୬,୫୮୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ଲାଇନରେ ୧୭,୪୭୬ଜଣ ଆବେଦନ କରିଛନ୍ତି ଏବଂ ୧୭୦୫୬ଜଣ ଆବେଦନ ଫି ପଇଠ କରିଛନ୍ତି ବୋଲି ଜଣାପଡ଼ିଛି।
ସାମ୍ସ ପୋର୍ଟାଲରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନ କରିଛନ୍ତି। ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ୧୩ ସେପ୍ଟେମ୍ବର ପୂର୍ବାହ୍ନ ୧୧.୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୪ ରୁ ୨୧ ସେପ୍ଟେମ୍ବର ମଧ୍ୟରେ ନାମ ଲେଖାଇବେ। ୨୭ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ୨୯ ସେପ୍ଟମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ। ୪ ଅକ୍ଟୋବରରେ ତତ୍କ୍ଷଣାତ ମନୋନୟନ (ସ୍ପଟ ସିଲେକସନ) ମେଧା ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ନାମଲେଖା ପରେ ବଳକା ଥିବା ଆସନର ତିନିଗୁଣା ଛାତ୍ରଛାତ୍ରୀଙ୍କୁ ଡକାଯିବ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବ ନାହିଁ ବୋଲି ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ।
ଚଳିତ ସପ୍ତାହରେ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ନିର୍ଦ୍ଧାରିତ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତାକାଲି କିମ୍ବା ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କରାଯିବ ବୋଲି ସୂଚନା ମିଳିଛି।