ମଣିପୁର, ଗୋଆକୁ ବ୍ୟାପିଲା ଓମିକ୍ରନ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪
ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କରୋନାର ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ସୋମବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରକୁ କେତେକ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମାରେ ଚଳିତ ଉତ୍ସବ ଋତୁରେ ଜନଗହଳି ଏଡାଇବାକୁ ଆବଶ୍ୟକ କଟକଣା ଲାଗୁ କରିବାକୁ କୁହାଯାଇଛି। ସେହିପରି ନୂଆ ପ୍ରଜାତି ଭୂତାଣୁର ସଂକ୍ରମଣକୁ ନେଇ ସମ୍ମୁଖୀନ ହେବାକୁ ଥିବା ଆହ୍ବାନର ମୁକାବିଲା ନିମନ୍ତେ ନିଜ ନିଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଶକ୍ତିଶାଳୀ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶନାମା ସମ୍ପର୍କରେ ଅବଗତ କରାଇବା ପୂର୍ବକ ସ୍ବରାଷ୍ଟ୍ର ବିଭାଗ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଅଜୟ ଭାଲା ପୁନର୍ବାର ସତର୍କ କରାଇଛନ୍ତି ଯେ ଓମିକ୍ରନ ପ୍ରଜାତି ଡେଲଟା ପ୍ରଜାତି ଠାରୁ ତିନିଗୁଣା ଅଧିକ ବେଗରେ ସଂକ୍ରମିତ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳ ଭିତ୍ତିରେ ନିଷିଦ୍ଧାଞ୍ଚଳ ଚିହ୍ନଟ କରିବାକୁ କୁହାଯାଇଛି। ଓମିକ୍ରନ ପ୍ରଜାତି ଭୂତାଣୁକୁ ନେଇ କୌଣସି ପ୍ରକାର ଗୁଜବ ଯେପରି ପ୍ରଚାରିତ ନହୁଏ ସେଥିପାଇଁ ନିୟମିତ ଭାବେ ଗଣମାଧ୍ୟମକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।
ମଣିପୁର ଓ ଗୋଆକୁ ବ୍ୟାପିଛି କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ। ସୋମବାର ମଣିପୁର ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ଜଣଙ୍କ ଡିସେମ୍ବର ୧୩ରେ ତାଞ୍ଜାନିଆରୁ ଫେରିଥିଲେ। ବିଦେଶରୁ ଫେରିବାର ୮ଦିନ ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ତାଙ୍କ ସ୍ବାବ ନମୁନାର ଜିନ୍ ଅନୁଶୀଳନ କରାଯିବା ପରେ ଏହା ଓମିକ୍ରନ ପ୍ରଜାତି ବୋଲି ଜଣାଯାଇଛି। ନିକଟରେ ବିଦେଶରୁ ଫେରିଥିବା ୪୮୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ସେହିପରି ଗୋଆରେ ଜଣେ ୮ବର୍ଷର ବାଳକ ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେ କହିଛନ୍ତି ଯେ ଡିସେମ୍ବର ୧୭ରେ ଏହି ବାଳକ ଜଣଙ୍କ ବ୍ରିଟେନରୁ ଫେରିଥିଲେ। ଉତ୍ତରାଖଣ୍ଡରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ରାଜ୍ୟରୁ ୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ ରାଜସ୍ଥାନରୁ ୩, ଗୁଜରାଟରୁ ୨୪, ତେଲଙ୍ଗାନାରୁ ୧୨, ମହାରାଷ୍ଟ୍ରରୁ ୨୬ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କୁ ମିଶାଇ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪ରେ ପହଞ୍ଚିଛି।