କଟକ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ। କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶୁକ୍ରବାର କଟକ ରେଳଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି। କଟକ ରେଳଷ୍ଟେସନକୁ ସଂଯୋଗ କରୁଥିବା ତଥା ଦ୍ୱିତୀୟ ଫାଟକକୁ ସିଧାସଳଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ। ସେହିପରି ମାଲଗୋଦାମ ପଟୁ ସଂଯୋଗ ରାସ୍ତାକୁ ମରାମତି କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଗୋଟିଏ ପଟରେ ପ୍ରବେଶଦ୍ୱାର ଥିଲା। ଏବେ ଷ୍ଟେସନର ଉଭୟ ପଟରେ ପ୍ରବେଶ ଦ୍ୱାର ରହିବ।
କଟକ ଷ୍ଟେସନରେ ସେ ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିବା ସହ ଯାତ୍ରୀମାନଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ଷ୍ଟେସନ ନିକଟରେ ଗାଡି ପାର୍କିଂ, ପିକ୍ଅପ୍ ଓ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାର୍କିଂ ଏବଂ ଭିଆଇପି ପାର୍କିଂ ସହ ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣକାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଟକ ସହର ସହିତ ତାଙ୍କର ଭାବାବେଗ ସମ୍ପର୍କ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ କଟକ ଆସିବା ପୂର୍ବରୁ ଆଠଗଡ ମାଧବପୁରରେ ‘ସମାଜ’ ଓ ଲୋକସେବକ ମଣ୍ଡଳ ଦ୍ବାରା ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗେବେଷଣା ପ୍ରତିଷ୍ଠାନରେ ଏକ ‘ସ୍ବାସ୍ଥ୍ୟସେବା ରଥ’ (ମୋବାଇଲ ହେଲ୍ଥ ୟୁନିଟ୍)ର ଉଦ୍ଘାଟନ କରିଥିଲେ। ଏହାପରେ କଟକସ୍ଥିତ ପ୍ରସିଦ୍ଧ କଟକଚଣ୍ଡିଙ୍କ ମନ୍ଦିରରେ ମା’ଙ୍କ ଦର୍ଶନ କରିଥିଲେ । ପରେ ପରେ ସେ ସମସ୍ତ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାଲେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି ।