ଭୁବନେଶ୍ୱର ୨୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ମହାମାରୀ ପାଇଁ ଦୀର୍ଘ ସମୟ ଧରି ବନ୍ଦ ପଡ଼ିଥିବା ବିଦ୍ୟାଳୟ ଖୁବ୍ଶୀଘ୍ର ଖୋଲିପାରେ । ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ୍ଲାନ୍ ଆଣୁଛନ୍ତି ।
କରୋନା ମହାମାରୀ ପାଇଁ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନେ ୨ ବର୍ଷରୁ ଅଧିକ ସମୟ ହରାଇ ସାରିଲେଣି । ଅନେକ ପିଲା ଆଦୌ ପାଠ ପଢ଼ି ପାରିନାହାନ୍ତି । କରୋନାର ଦ୍ୱିତୀୟ ଲହର ଯିବା ପରେ ସାରା ଦେଶରେ ବିଦ୍ୟାଳୟ ଖୋଲି ଯାଇଥିଲା । ହେଲେ ନୂଆ ଭାରିଆଣ୍ଟ ଓମିକ୍ରନ୍ ଆସିବା ଦ୍ୱାରା ପୁଣିଥରେ ସ୍କୁଲରେ ତାଲା ପଡ଼ିଗଲା । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ମଡେଲ୍ ତିଆରି କରୁଛନ୍ତି । କୋଭିଡ୍-୧୯ର ସବୁ ନିୟମ ପାଳନ କରାଯାଇ ସ୍କୁଲରେ ପାଠପଢ଼ା ସ୍ୱାଭାବିକ କରିବାକୁ ଏହି ମଡେଲ୍ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।
ଏହି ମଡେଲ୍ ପ୍ରଚଳନ ହେଲେ ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍କୁ ଧୀରେ ଧୀରେ ଫେରିବ । ଆଉ ଅନ୍ଲାଇନ୍ ଶିକ୍ଷାଦାନର ଅସୁବିଧା ହେବନି । ବିଶେଷ କରି ୨ବର୍ଷରୁ ଅଧିକ ଦିନ ଧରି ଘରେ ରହିଥିବା ପ୍ରାଥମିକ ପିଲାମାନେ ସ୍କୁଲକୁ ଆସି ପଢ଼ିବେ । ଶିକ୍ଷାଗ୍ରହଣର କୋର୍ସ ଠିକ୍ ସମୟରେ ସରିବ ଆଉ ପରୀକ୍ଷା ହେବ ।ବର୍ତ୍ତମାନ କରୋନା ସଂକ୍ରମଣ ତଳମୁହାଁ ହେଉଥିବାେଳେ ସ୍କୁଲ ବନ୍ଦ କରିଥିବା ଅନେକ ରାଜ୍ୟ ପୁଣିଥରେ ସ୍କୁଲ ଖୋଲିଛନ୍ତି । ଆଉ କିଛି ଆଗକୁ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ।
ଗତ ୨୪ ତାରିଖରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁସାର ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଯାଇଛି । ଆସନ୍ତା ୧ ଫେବ୍ରୁଆରିଠୁ ଦଶମରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡରେ ୧୦ମରୁ ଦ୍ୱାଦଶ ଯାଏ ଅଫ୍ଲାଇନ୍ରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ସେହିପରି କେରଳରେ ଦଶମରୁ ଦ୍ୱାଦଶ ଶ୍ରେଣୀରେ ଟିକା ନେଇଥିବା ପିଲାମାନେ ଅଫ୍ଲାଇନ୍ରେ କ୍ଲାସ୍ କରିବାକୁ ଅନୁମତି ଦିଆଯାଇଛି ।