ରାଜଗାଙ୍ଗପୁର ୧୧/୦୨/୨୦୨୨ କଳିଙ୍ଗ ଜ୍ୟୋତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ଜଣ ଇନସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ସୁସୁନ୍ଦରଗଡ଼ ସରକାରୀ ଆବାସ ଓ ଅଫିସ ସହ ଖୋର୍ଦ୍ଧା, ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜଗତସିଂହପୁର ରେଢୁଆସ୍ଥିତ ପୈତୃକ ଘରେ ଚଢାଉ କରିଛନ୍ତି।
ଶ୍ରୀ ମହାପାତ୍ରଙ୍କ ଅବସରକୁ ଆଉ ମାତ୍ର ୧୮ ଦିନ ବାକି ଥିବା ବେଳେ ଭିଜିଲାନ୍ସ ଚଢ଼ାଉ ଚର୍ଚ୍ଚାର ଵିଷୟ ହୋଇଛି। ଭୁବନେଶ୍ବରର ରୁଦ୍ରପୁର, ବାଲିଅନ୍ତାରେ ଘର, ନୟାପଲ୍ଲୀରେ ଫ୍ଲାଟ୍, ଜଗତସିଂହପୁର ଜିଲ୍ଲାର ରେଢୁଆସ୍ଥିତ ପୈତୃକ ଘର ଓ ମଣିଜଙ୍ଗା ଜଡାତିରାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏହାଛଡ଼ା ରାଜଗାଙ୍ଗପୁର ଓସିଏଲ କମ୍ପ୍ଳଲକ୍ସଠାରେ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ ଜାରି ରହିଛି। ତାଙ୍କ ନାଆଁରେ ଆଗରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗ ଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଶ୍ରୀ ମହାପାତ୍ର ଙ୍କ ସମ୍ପର୍କୀୟ ବିକାଶ ରାୟ ଙ୍କ ରାଜଗାଙ୍ଗପୁର ସ୍ଥିତ ଧଉଳି ୨ ରେ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ର ଏକ ଟିମ ଦୀର୍ଘ ୬ ଘଣ୍ଟା ହେବ ଚଢ଼ାଉ ଜାରି ରହିଛି।ଡାଲମିଆ ସିମେଣ୍ଟରେ କାର୍ଯ୍ୟରତ ଏଡିଏମ ସମ୍ପର୍କୀୟ କମ୍ପାନୀ ରେ ଏକ ପ୍ରମୁଖ ବିଭାଗରେ କାର୍ଯ୍ୟ କରୁଥିବାରୁ ବିଭିନ୍ନ ସମୟରେ ବିକାଶ ଙ୍କ ନାମରେ ଅଭିଯୋଗ ଆସୁଥିଲା । ଡାଲମିଆ ସିମେଣ୍ଟ ରେ ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣରେ ପ୍ରଶାସନ ସାଙ୍ଗରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା ଚାଲୁଥିବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦୁର୍ନୀତି ହେଉଥିବାର ଅଭିଯୋଗ ଆସୁଥିଲା। ଆଜି ଏଡିଏମ ଙ୍କ ଘରେ ତଥା ବିଭିନ୍ନ ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିରେ ଡାଲମିଆ ସିମେଣ୍ଟ ଅନ୍ୟ କର୍ତ୍ତୃପକ୍ଷ ସାମିଲ ଥିବାର ସନ୍ଦେହ କରାଯାଉଛି।