![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭ : ରାଜ୍ୟରେ ଏବେ ଦିନକୁ ପାଖାପାଖି ୫ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାର୍ କରିଛି । ତେବେ ଚିିନ୍ତାର କାରଣ ହେଉଛି ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି । ଗତ ୩ ଦିନରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଛି । ଯାହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/fshgbshg.jpg?resize=483%2C321)
ଗତ ୩ ଦିନରେ ୧୫ଶହ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪୨୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଅର୍ଥାତ୍ , କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଗସ୍ତ ବିବରଣୀ ତଥ୍ୟ ମିଳିପାରୁନି । ବଢୁଥିବା ସ୍ଥାନୀୟ ସଂକ୍ରମଣକୁ ଦେଖି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି ।
![](https://kalingajyoti.com/wp-content/uploads/2020/07/hgwrtyhwt.jpg)
ଜୁଲାଇ ୩ରେ ୫୬୧, ଜୁଲାଇ ୪ରେ ୪୯୫, ଜୁଲାଇ ୫ରେ ୪୬୯ । ଗତ ୩ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣର ଏହି ଗ୍ରାଫ ଚିନ୍ତା ବଢାଇଦେଉଛି । ୩ ଦିନରେ ଆକ୍ରାନ୍ତ ସଂଖ୍ୟା ୧୫ ଶହ ପାର୍ କରିଛି । ଶନି, ରବି ସଟଡାଉନ୍ ଚାଲିଛି । ମଲ, ମନ୍ଦିର ବନ୍ଦ ରହିଛି । ବିମାନ ଓ ଟ୍ରେନ୍ ବନ୍ଦ , କଟକଣା ଭିତରେ ଚାଲିଛି ଗାଡି ମୋଟର । ତଥାପି ସଂକ୍ରମଣରେ ବ୍ରେକ୍ ଲାଗୁନି । ଆଉ ଏକ ଉଦବେଗର ବିଷୟ ହେଉଛି , ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/45y654y.jpg?resize=512%2C384)
ରାଜ୍ୟରେ ପ୍ରଥମ କରୋନା ରୋଗୀ, ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ । ମେ’ ମାସ ୨୦ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଛୁଇଁଥିଲା । ହଜାରେରୁ ଦୁଇ ହଜାର ହେବାକୁ ଲାଗିଥିଲା ୧୨ ଦିନ ସମୟ । ଏବେ ମାତ୍ର ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ରହିଛି । ଏଥିରୁ ୬୨୨୪ ଜଣ ସୁସ୍ଥ ହୋଇସାରିଛନ୍ତି । ୨୮୦୦ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କରୋନା ସଂକ୍ରମଣରେ ୩୬ ଜଣ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।