
ନୂଆଦିଲ୍ଲୀ / ଦୁର୍ଗାପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ। ଏନେଇ ଅନେକ ଔଷଧ ବାହାରିଥିବାର ଦାବି ମଧ୍ୟ କରାଯାଉଛି। ତେବେ ଏହି ଟିକାକୁ ଅଗଷ୍ଟ ୧୫ରେ ଲଞ୍ଚ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଟିକାର ପରୀକ୍ଷଣ ଜଲଦି ହେବାକୁ ଯାଉଛି। ତେବେ ଭାରତର ପ୍ରଥମ କରୋନା ଟିକା ପରୀକ୍ଷଣ ପାଇଁ ଆଗେଇ ଆସିଛନ୍ତି ପଶ୍ଚିମ ବଙ୍ଗର ଚିତ୍ତରଞ୍ଜନ ଧୀବର। ସେ ହେଉଛନ୍ତି ପ୍ରଥମ ଲୋକ ଯାହା ଉପରେ ହେବ ଏହି ପରୀକ୍ଷଣ। ତେବେ ଏଥିପାଇଁ ସେ ସ୍ୱଇଚ୍ଛାରେ ନିଜ ତରଫରୁ ଆବେଦନ କରିଥିଲେ। ପେଶାରେ ସେ ଜଣେ ଶିକ୍ଷକ। ପଶ୍ଚିମ ବଙ୍ଗ ଦୁର୍ଗାପୁରର ବାସିନ୍ଦା ହେଉଛନ୍ତି ଚିତ୍ତରଞ୍ଜନ। ଏହି ପରୀକ୍ଷଣ ପାଇଁ ସେ ଭୁବନେଶ୍ୱର ସେଣ୍ଟରକୁ ଆସିବେ।

ଏହି ପରୀକ୍ଷଣ ପାଇଁ ଦେଶର ସମୁଦାୟ ୧୨ଟି ପରୀକ୍ଷଣ କେନ୍ଦ୍ରକୁ ବଛାଯାଇଛି। ତେବେ ଏହି ପରୀକ୍ଷଣ କେବଳ ସେହି ଲୋକଙ୍କ ଉପରେ ହେବ ଯିଏ ନିଜ ଇଚ୍ଛା ଅନୁସାରେ ଏଥିପାଇଁ ପ୍ରସ୍ତୁତ ଥିବେ। କେବଳ ୧୮ରୁ ୫୫ ବର୍ଷ ବୟସ୍କ ଲୋକଙ୍କ ଉପରେ ଏହି ପରୀକ୍ଷଣ ହୋଇପାରିବ।

ନିଜ ଫେସବୁକ ପେଜରେ ସେ ଏହି ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତାଙ୍କ ବାପା ମା ଏଥିପାଇଁ ରାଜି ନଥିଲେ ମଧ୍ୟ ଦେଶ ପାଇଁ ନିଜ ଶରୀରକୁ ବାଜି ଲଗାଇବାକୁ ଆଗକୁ ଆସିଛନ୍ତି ଚିତ୍ତରଞ୍ଜନ। ତାଙ୍କ ମତରେ ଦେଶ ଯେଉଁଭଳି ସଙ୍କଟ ଦେଇ ଗତି କରୁଛି, କାହାକୁ ନା କାହାକୁ ଆଗକୁ ଆସିବାକୁ ହେବ। ଚିତ୍ତରଞ୍ଜନ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶିକ୍ଷକ ମହାସଂଘର ସଦସ୍ୟ ଅଛନ୍ତି।