ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ନଜର ରଖିଛି ବ୍ଲୁଇସ ଆପ୍। ନାସା ସହ ସମ୍ପର୍କ ରଖି ସରକାରୀ ଜମି ଉପରେ ନଜର ରଖିଛି ଏହି ଆପସ। ସରକାରୀ ସ୍ତରର ଏଭଳି ଆପସ ଜରିଆରେ ଜମି ତଦାରଖ କରିବା ଭାରତରେ ପ୍ରଥମ ବୋଲି କୁହାଯାଉଛି। ରାଜ୍ୟ ସରକାର ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରେ ପଡ଼ିରହିଥିବା ସରକାରୀ ଜମିରେ ମାଫିଆମାନେ ବସ୍ତି ନିର୍ମାଣ କରି କିମ୍ବା ରାତାରାତି ଘର ତିଆରି କରି ବିକ୍ରି କରିଦେଉଥିବାର ନଜିର ରହିଛି।
ଜମି ହଡପକାରୀ ସାବଧାନ। ଆଉ ସରକାରୀ ଜମିରେ ରାତାରାତି ବିଲଡିଂ ନିର୍ମାଣ କରି ହଡପ କରିବା ଚଳିବନି। ଆସିଗଲା ରାଜ୍ୟ ସରକାରଙ୍କର ବ୍ଲୁଇସ ଆପ୍। ସାଟେଲାଇଟ ଜରିଆରେ କିଏ କେତେବେଳେ ସରକାରୀ ଜମିକୁ ଅକ୍ତିଆର କରୁଛି ତାହା ଆଲର୍ଟ କରିବ। ଏହି ଆପ୍ସକୁ ତିଆରି କରିଛି ଓରସାକ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଡ଼ିଶା ସ୍ପେସ ସାଇନ୍ସ ଆପ୍ଲିକେସନ ବା ଓରସାକର ଯୁବ ଇଞ୍ଜିନିୟରମାନେ ମିଶି ଏହାକୁ ଡେଭଲପ କରିଛନ୍ତି ।
ଏହି ଆପସକୁ ଏଭଳି ନିର୍ମାଣ କରାଯାଇଛି ଯାହାକି ସାଧାରଣ ପ୍ରଶାସନ ବିଭାଗ, ବିଏମସି ଏବଂ ବିଡିଏର ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଲର୍ଟ ମେସଜ ଆସିଯିବ। ଗୁଗୁଲ ଆର୍ଥ ଏବଂ ଗୁଗୁଲ ଲୋକେସନ ଠାରୁ ବହୁ ଗୁଣରେ ହାଇ-ରିଜୋଲ୍ୟୁସନ ଚିତ୍ର ସହ ସଠିକ ଲୋକସନ ଦେଇ ପାରୁଛି। ଏପରିକି ସାଧାରଣ ପ୍ରଶାସନ ବିଭାଗ, ବିଏମସି, ବିଡିଏର ତଳିଆ କର୍ମଚାରୀଙ୍କୁ ଲାଞ୍ଚ ଦେଇ ଠକ ବିଲଡର ସଂସ୍ଥା ଜମି ହଡପ କରୁଛନ୍ତି। ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆପ୍ସ କାର୍ଯ୍ୟକ୍ଷମ ହେଲେ ସରକାରୀ ଜମି ହଡପକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।