କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ ହୋଇଥିବା ୫୯ ଟି ଚାଇନିଜ୍ ଆପକୁ ନୋଟିସ୍ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍ରେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛି ମନ୍ତ୍ରାଳୟ।। ପ୍ରଶ୍ନର ଉତ୍ତର ଦେବା ପାଇଁ ଆପ୍ କାମ୍ପାନୀଗୁଡ଼ିକୁ ତିନି ସପ୍ତାହ ସମୟ ଦିଆଯାଇଛି।
ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି, ବ୍ୟାନ୍ ହୋଇଥିବା ଏହି ଆପ୍ଗୁଡ଼ିକ ଯଦି ଜୁଲାଇ ୨୨ ତାରିଖ ସୁଦ୍ଧା ଉତ୍ତର ନ ଦିଅନ୍ତି, ତେବେ ସୁବଦିନ ପାଇଁ ତାଙ୍କ ଉପରେ ବ୍ୟାନ୍ ଲାଗିଯିବ।
ସୂଚନାନୁସାରେ, ସରକାରଙ୍କ ଆଢ଼ୁଆଳେ ଏହି ଆପଗୁଡ଼ିକର କାର୍ଯ୍ୟକଳାପ ସମ୍ପର୍କରେ ଗୋଇନ୍ଦା ସଂସ୍ଥା ଏବଂ ଗ୍ଲୋବାଲ ସାଇବର ୱାଚଡଗରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆପ୍ଗୁଡ଼ିକ ସରକାରଙ୍କର ପ୍ରଶ୍ନର ଉତ୍ତର ରଖିଲେ ଏହାକୁ ଗୋଇନ୍ଦା ତଥ୍ୟ ସହିତ ମେଳ କରାଯିବ। ଯଦି ଏଥିରେ କୌଣସି ଷଡ଼ଯନ୍ତ୍ର ଥାଏ ତେବେ ଆପ୍ କମ୍ପାନୀଗୁଡ଼ିକ ଏହା ମହଙ୍ଗା ପଡ଼ିପାରେ।
ସରକାରଙ୍କ ତରଫରୁ ପଚରାଯାଇଥିବା ୭୯ ଟି ପ୍ରଶ୍ନରେ ଆପ୍ଗୁଡ଼ିକର କର୍ପୋରେଟ୍ ଅରିଜିନ, ମୂଳ କମ୍ପାନୀଗିଡ଼ିକର ଗଠନ, ଅର୍ଥଯୋଗାଣ(ଫଣ୍ଡିଂ), ତଥ୍ୟ ପରିଚାଳନ(ଡାଟା ମ୍ୟାନେଜ୍ମେଣ୍ଟ) ଓ କମ୍ପାନୀ ବ୍ୟବହାର କରୁଥିବା ସର୍ଭର ସମ୍ପର୍କରେ ତଥ୍ୟ ମଗାଯାଇଛି।
ଏଥିସିହତ ସିକ୍ୟୁରିଟି ଫିଚର ଓ ଅନଧିକୃତ ତଥ୍ୟ ଗ୍ରହଣ (ଅନ୍ଅଥୋରାଇଜ୍ଡ ଡାଟା ଆକ୍ସେସ୍) ବିଷୟରେ ସରଳଭାବେ ଉତ୍ତର ରଖିବାକୁ କୁହାଯାଇଛି। କମ୍ପାନୀଗୁଡ଼ିକ ଉତ୍ତରେ ଦେବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟିକୁ ସେମାନେ ପଚରାଯାଇଥିବା ସମସ୍ତ ପ୍ରସ୍ନର ଉତ୍ତର ଦେବେ।