ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବାରିପଦାସ୍ଥିତ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
![](https://i0.wp.com/kalingajyoti.com/wp-content/uploads/2020/07/download-15.jpg?resize=578%2C560)
୧୯୨୮ ମସିହାରେ ନେପାଳ କାଠମାଣ୍ଡୁରେ ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜନ୍ମଗ୍ରହଣ କରିଥିଲେ। ସେ ଦିବଙ୍ଗତ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମା’ ହେଉଛନ୍ତି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ। ୧୯୫୨ରେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମୟୂରଭଞ୍ଜ ଜିଲ୍ଲାର ମହାରାଣୀ ହୋଇଥିଲେ। ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେ ।
ଏହି ଖବର ପାଇ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଟ୍ୱିଟ ଯୋଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ “ମୟୂରଭଞ୍ଜର ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶାର ବିକାଶ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୟୂରଭଞ୍ଜ ରାଜ ପରିବାରର ଅବଦାନ ଅତୁଳନୀୟ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସାନ୍ତ୍ୱନା ଜଣାଉଛି ।”
![](https://kalingajyoti.com/wp-content/uploads/2020/07/dp-1-1024x1024.jpg)