ଯାଜପୁର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ଆଜି ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଓଡ଼ିଶାର ଯାଜପୁର ଜିଲ୍ଲା । ଶ୍ରୀ ପ୍ରଧାନ କହିଛନ୍ତି ଯାଜପୁରର କଳିଙ୍ଗନଗର ଅଞ୍ଚଳକୁ ଷ୍ଟିଲ ହବ୍ ରେ ପରିଣତ କରାଯିବ ।
୨୦୩୦ ସୁଦ୍ଧା ସାରା ଦେଶରେ ୩୦୦ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରାଯିବ । ଏଥି ମଧ୍ୟରୁ କଳିଙ୍ଗନଗର ୧୦ଭାଗ ଇସ୍ପାତ ଉତ୍ପାଦନ କରିବ । ଫଳରେ ଇସ୍ପାତ ଉତ୍ପାଦନ ବଢିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବ । ଅପାର ସମ୍ଭାବନାର ଅଞ୍ଚଳ ଯାଜପୁର ଦିନେ ବିଶ୍ଵର ବିଭିନ୍ନ ଅଞ୍ଚଳ ଯାଇ ଓଡ଼ିଆ ଓଡ଼ିଶାର ସାଂସ୍କୃତିକ ଆଧିପତ୍ୟର ପ୍ରଚାର କରୁଥିଲା, ସେହି ଜିଲ୍ଲାର ଯୁବକମାନେ ରୋଜଗାର ପାଉନାହାନ୍ତି । ମାତ୍ର ଏ ଅଞ୍ଚଳର ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ।
ଆଗାମୀ ଦିନରେ ଯାଜପୁରର କଳିଙ୍ଗନଗର ଇସ୍ପାତ ଉଦ୍ୟୋଗକୁ ରେଳ ଯୋଗେ ଦେଶର ବିଭିନ୍ନ ଶିଳ୍ପ ସମୃଦ୍ଧ ସ୍ଥାନକୁ ଯୋଡାଯିବାର ବ୍ୟବସ୍ଥା କରାଯିବ ଏବଂ ଯାଜପୁରକୁ ଶିଳ୍ପ ସମୃଦ୍ଧ ଅଞ୍ଚଳ ବନାଯିବ । ଏହା ସହ ଏହି ଅଞ୍ଚଳକୁ ଭାରତର ସବୁଠୁ ବଡ଼ ଲୁହା ଉତ୍ପାଦନର କେନ୍ଦ୍ର ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।
ତେବେ ଏଥି ପାଇଁ ସମସ୍ତଙ୍କ ଦାୟିତ୍ଵ ରହିଛି ବୋଲି ସେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କାରଣରୁ ଷ୍ଟିଲ କ୍ଲଷ୍ଟର କ୍ଷେତ୍ରରେ ଲାଭ ଯାଜପୁର ଭଳି ଅଞ୍ଚଳ ପାଇବ । ମୋଦୀଙ୍କ ଅଧୁରା କାମକୁ ପୂରଣ କରିବା ପାଇଁ କାମ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘର ଘର ବୁଲି ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦଳୀୟ ସଂଗଠନ ମଜବୁତ୍ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ ।
ଜିଲ୍ଲା ସଭାପତି ଗୌତମ ରାୟ ଜଣେ ଅନୁଭବି ରାଜନେତା ଓ ତାଙ୍କ ନେତୃତ୍ଵରେ ବିଜେପି ଜିଲ୍ଲାରେ ସୁସଂଗଠିତ ହୋଇ କାର୍ଯ୍ୟ କରୁଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଭୂସୟୀ ପ୍ରଶଂସା କରିଥିଲେ । ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ କହିଥିଲେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ମନ୍ତ୍ରରେ ମୋଦୀ ସରକାର କାମ କରୁଛନ୍ତି । ଦେଶର ଗରିବ ଲୋକମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ, ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି ଦିଆଯାଇଛି । ଦେଶ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁରକ୍ଷିତ ରହିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଢ଼େ ଚାରି କୋଟି ଓଡିଆଙ୍କ ପାଇଁ ଜାଗ୍ରତ ପ୍ରହରୀ ଭାବେ ଦିଲ୍ଲୀରେ କାମ କରୁଛନ୍ତି, ଏଥି ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି କହିବା ସହ ଯାଜପୁରକୁ ରେଳ ପଥ ସଂଯୋଗ ପାଇଁ ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଅମିୟ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ସାଂସଦ ମୋହନ ଜେନା, ରାଜ୍ୟ ସମ୍ପାଦକ ଅମର ନାୟକ, ପ୍ରଦୀପ ବଳ ସାମନ୍ତ, ବିଶ୍ବରଂଜନ ମଲ୍ଲିକ, ବିଶ୍ୱଜିତ୍ ନାୟକ, ରମେଶ ଚନ୍ଦ୍ର ପରିଡା, ବବିତା ମଲ୍ଲିକ ଙ୍କ ସମେତ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।