ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : କରୋନା ସଂକ୍ରମଣ ରୋକିବାକୁ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ ଲାଗୁ ହୋଇଛି। ଏହି ଲକ୍ଡାଉନ୍ରେ ଜରୁରୀ ସେବା ବାଦ୍ ଅନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟର ୪ ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ୍ । ଲକଡାଉନ ସମୟରେ କୌଣସି ସରକାରୀ କର୍ମଚାରୀ ହେଡ୍ କ୍ୱାର୍ଟର ଛାଡ଼ି ଯାଇପାରିବେନି। ହେଡ୍ କ୍ୱାର୍ଟରରେ ରହିବାକୁ ସବୁ କର୍ମଚାରୀ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯେତେବେଳେ ବି ଅଫିସରୁ ଫୋନ୍ ଆସିବ, ତାହାକୁ ଗ୍ରହଣ କରିବା ସହ ଡାକରା ଆସିଲେ ତୁରନ୍ତ କାମରେ ଯୋଗ ଦେବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଛି । ସରକାରୀ କାର୍ଯ୍ୟାଳୟ ନେଇ ଆଜି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।
ଏଥିରେ କୁହାଯାଇଛି, ଲକ୍ଡାଉନରେ ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଜରୁରୀ ସେବା ପ୍ରଦାନକାରୀ ସରକାରୀ ଦପ୍ତର କାମ କରିବ । ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ଜଡ଼ିତ ସରକାରୀ ସଂସ୍ଥା ଓ କାର୍ଯ୍ୟାଳୟ, ଜିଲ୍ଲା ଓ ମ୍ୟୁନିସିପାଲ ପ୍ରଶାସନ, ପୁଲିସ, ଅଗ୍ନିଶମ, ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥାକୁ କଟକଣା ମୁକ୍ତ ରଖାଯାଇଛି ।
ଲକ୍ଡାଉନ୍ ସମୟରେ ରାଜ୍ୟ ସରକାରୀ ବିଭାଗଗୁଡ଼ିକ ‘ୱାର୍କ ଫର୍ମ ହୋମ୍’ ବ୍ୟବସ୍ଥାରେ ଚାଲିବ । ଓସ୍ୱାସ୍ ମାଧ୍ୟମରେ କର୍ମଚାରୀମାନେ ଅନଲାଇନ୍ରେ ଯୋଡ଼ି ହୋଇ ରହିବେ । ସବୁ କାମ ଅନଲାଇନରେ ହେବ । ପ୍ରତି ସରକାରୀ ବିଭାଗର ଇସ୍ୟୁ ଓ ରିସିପ୍ଟ ସେକସନରେ ପାଳି ଅନୁଯାୟୀ କର୍ମଚାରୀମାନେ କାମ କରିବେ । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ କରିବ । ବିଭାଗର କଣ୍ଟ୍ରୋଲ ରୁମ୍ ପୂର୍ବଭଳି କାର୍ଯ୍ୟକ୍ଷମ ରହିବ । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାମ କରିବ । ଜରୁରୀ କାମ ପାଇଁ ବିଭାଗୀୟ ସଚିବ ଆବଶ୍ୟକ ଅନୁଭବ କଲେ, ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଅଫିସ ଡକାଇ ପାରିବେ । ଲକ୍ଡାଉନ ଅବଧି ଭିତରେ କର୍ମଚାରୀଙ୍କ ଉପସ୍ଥିତିରେ କୌଣସି ବୈଠକ ହୋଇପାରିବ ନାହିଁ । ତେବେ ଆବଶ୍ୟକ ସ୍ଥଳେ ଭର୍ଚୁଆଲ୍ ବୈଠକ ହୋଇପାରିବ