![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭:ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲରେ ରାଜଧାନୀ ସମେତ ସାରା ରାଜ୍ୟର କରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି। ଏବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିନ୍ତାଜନକ ହେଲାଣି। ଯେପରି ରାଜଧାନୀର କୌଣସି କରୋନା ଆକ୍ରାନ୍ତ ଶଯ୍ୟା ନପାଇ ହଇରାଣ ନହେବେ ସେଥିପାଇଁ ଭୁବନେଶ୍ବରର ତିନି ବିଧାୟକ ହାତ ବଢ଼ାଇଛନ୍ତି। ତିନି ବିଧାୟକ ସେମାନଙ୍କ ବିଧାୟକ ପାଣ୍ଠିରୁ ବିଏମ୍ସିକୁ ୫୦ଲକ୍ଷ ଟଙ୍କା ଲେଖାଏ ଦେଇଛନ୍ତି। ଏଥିରେ ତିନିଟି ନିର୍ବାଚନ ମଣ୍ଡଳୀରେ ୫୦ଟି ଶଯ୍ୟା ଲେଖାଏ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ହେବ।
![](https://i0.wp.com/kalingajyoti.com/wp-content/uploads/2020/07/234f6d34-ae11-4420-aad9-a7a5745ef5a4.jpg?resize=467%2C213&ssl=1)
ରାଜଧାନୀରେ ଯେପରି କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବ ସେଥିପାଇଁ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ସୁଶାନ୍ତ ରାଉତ ପ୍ରତ୍ୟେକ ୫୦ଲକ୍ଷ ଟଙ୍କା ଲେଖାଏ ଦେଇଛନ୍ତି। ଏହି କୋଭିଡ୍ କେୟାର ସେଣ୍ଟର କେଉଁ ସ୍ଥାନରେ ହେବ ସେନେଇ ଏବେ ବିଧାୟକ ଓ ବିଏମ୍ସି କର୍ତ୍ତୃପକ୍ଷ କୋଠା ଖୋଜୁଛନ୍ତି। କୋଠା ଚିହ୍ନଟ ହେଲେ ତୁରନ୍ତ କୋଭିଡ୍ କେୟାର କାର୍ଯ୍ୟକ୍ଷମ ହେବ।
![](https://kalingajyoti.com/wp-content/uploads/2020/07/y65476y53735673678.jpg)
ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍ କେୟାର ସେଣ୍ଟରରେ ୫୦ଶଯ୍ୟା ପାଇଁ ତିନି ମାସକୁ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେଣୁ ବର୍ତ୍ତମାନର ସ୍ଥିତିକୁ ଦେଖି ପ୍ରଥମ ତିନି ମାସ ପାଇଁ ବିଧାୟକମାନେ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଏଠାରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ରହିବେ। ଆବଶ୍ୟକ ସ୍ଥଳେ ବିଧାୟକମାନେ ଏଠାରେ ସ୍ବେଚ୍ଛାସେବୀଙ୍କୁ ମୁତୟନ କରିବେ। ଜୁଲାଇ ମାସ ଶେଷ ସୁଦ୍ଧା ଏହି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ। ରାଜଧାନୀରେ ଯେଉଁମାନେ କରୋନା ଆକ୍ରାନ୍ତ ହେବେ ସେମାନେ ପ୍ରଥମେ ଏଠାରେ ଭର୍ତ୍ତି ହେବେ। ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାଧାରଣ ଚିକିତ୍ସାରେ ଭଲ ହୋଇଯିବେ ସେମାନେ ଏଠାରେ ରହି ଚିକିତ୍ସିତ ହେବେ। ଯେଉଁମାନେ ଗୁରୁତର ଥିେବ ବା ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କେଉଁ ରୋଗୀ କୋଭିଡ୍ କେୟାର ସେଣ୍ଟରରେ ରହିବେ, କିଏ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସେ ନିଷ୍ପତ୍ତି କୋଭିଡ୍ କେୟାର ସେଣ୍ଟରରେ ଥିବା ଡାକ୍ତର ନେବେ।