‘ଟ୍ଵିନ-ସିଟି’ ପାଲଟିଛି ମହାମାରୀର ଚରାଭୁଇଁ : ଆଜି ପୁଣି ରାଜଧାନୀରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !!
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର ଓ କଟକ ସହର। ରାଜଧାନୀରୁ ଚିହ୍ନଟ ୫୨ ଜଣ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ହୋଇଥିବା ବେଳେ ସେଥିରୁ ୫୨୩ ଜଣ ସୁସ୍ଥ ଓ ୬୪୬ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନିଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଣେ ୩୨ ବର୍ଷିୟା ମହିଳା ନୟାପଲ୍ଲୀର ରହିଛନ୍ତି । ଏହା ସହ ରସୁଲଗଡରୁ ଆଉ ଜଣେ ୩୨ ବର୍ଷୀୟା ମହିଳା, ଅଶୋକ ନଗରରୁ ୪୫ ବର୍ଷୀୟ ଜଣେ ପୁରୁଷ, ହଳଦିପଡା ବସ୍ତିରୁ ୩୦ ବର୍ଷୀୟ ଜଣେ ପୁରୁଷ, ଡୁମଡୁମାରୁ ୫୮ ବର୍ଷୀୟା ମହିଳା, ୟୁନିଟ ୮ରୁ ୬୯ ବର୍ଷୀୟ ପୁରୁଷ, ଜଗମରାରୁ ୫୨ ବର୍ଷୀୟା ମହିଳା, ଖଟିକିଆରୁ ୪୭ ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି । ସେହିପରି ଘରୋଇ ମେଡିକାଲରୁ ୨୪ ବର୍ଷୀୟା ଜଣେ ମହିଳା, ଆଇଆରସି ଭିଲେଜରୁ ୨୪ ବର୍ଷୀୟା ମହିଳା, ଚନ୍ଦ୍ରଶେଖରପୁରରୁ ୫୯ ଓ ୨୭ ବର୍ଷୀୟ ପରୁଷ ଓ ଜଣେ ୫୩ ବର୍ଷୀୟା ମହିଳା, ରବି ଟକିଜରୁ ୨୫ ବର୍ଷୀୟ ପୁରୁଷ, ବଡବଗରୁ ୪୫ ବର୍ଷୀୟ ପୁରୁଷ, ସଲିଆସାହିରୁ ୪୫ ବର୍ଷୀୟ ପୁରୁଷ, ସାମନ୍ତରାପୁରରୁ ୫୦ ବର୍ଷୀୟ ପୁରୁଷ ଓ ଚିନ୍ତାମଣିଶ୍ୱରରୁ ଜଣେ ୨୫ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସେହିପରି ଆଜି କଟକ ସହରରୁ ନୂଆ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨ଟି ଲୋକାଲ୍ କେସ୍ ରହିଛି । ଦୁଇ ଲୋକାଲ୍ କେସ୍ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ୍ର ଏଆଇଆର୍ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ମଙ୍ଗଳବାଗରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୪ ହୋମ୍ କ୍ବାରେଣ୍ଟାଇନ୍ ଆକ୍ରାନ୍ତଙ୍କ ମଧ୍ୟରେ ରାଉସପାଟଣାରୁ ୫ ଜଣ, ଗଣେଶ ଘାଟରୁ ୩ ଜଣ, ଗୋପାଳ ସାହିରୁ ୨ ଜଣ ଆକ୍ରାନ୍ତ, ବାଲୁ ବଜାର, ଦାମବାଡିର ଶଙ୍କରପୁର ପରିଡା ସାହି, ପୁରୀ ଘାଟ ଓ ରାଣୀ ହାଟ ଅଞ୍ଚଳରୁ ଜଣେ ଲେଖାଏଁ ରହିଥିବାର ସୂଚନା ରହିଛି । ନୂତନ ୧୬ ଆକ୍ରାନ୍ତଙ୍କ ପରେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଯାଇଛି । ୨୦୦ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କଟକରେ ୧୪୩ ଟି ସକ୍ରିୟ ମାମଲା ରହିଛି ।