ଚୀନକୁ ଜୋରଦାର ଝଟକା : ଚୀନ୍ର ସବୁଠୁ ବଡ଼ ଆଣବିକ କେନ୍ଦ୍ର ‘ଆଇନେଷ୍ଟ’ରୁ ଏକକାଳୀନ ୯୦ ପରମାଣୁ ବୈଜ୍ଞାନିକଙ୍କ ଇସ୍ତଫା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଚୀନ୍ର ସବୁଠୁ ବଡ ଆଣବିକ ଗବେଷଣା କେନ୍ଦ୍ର ‘ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ଏନେର୍ଜୀ ସେଫ୍ଟି ଟେକ୍ନୋଲଜି’ (ଆଇନେଷ୍ଟ)ରୁ ଏକକାଳୀନ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାୟ ୫୦୦ ବୈଜ୍ଞାନିକଙ୍କୁ ନେଇ କାମ କରୁଥିବା ଏହି ଆଣବିକ ଗବେଷଣା କେନ୍ଦ୍ରରୁ ଗତବର୍ଷ ୨୦୦ ବୈଜ୍ଞାନିକ ଇସ୍ତଫା ଦେଇ ପଳାଇଥିଲେ। ଏବେ ଅଚାନକ ୯୦ ଜଣଙ୍କ ଇସ୍ତଫା ପରେ ଗବେଷଣାଗାର ଏକରକମ ଅଚଳାବସ୍ଥାକୁ ଆସିଯାଇଛି।
୯୦ ଜଣ ବୈଜ୍ଞାନିକ ଗତ ଗୁରୁବାର ଏକକାଳୀନ ଇସ୍ତଫା ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ସେମାନେ ଚାକିରୀରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଇସ୍ତଫା ନେଇ ସେମାନେ କୌଣସି କାରଣ ଦର୍ଶାଇ ନାହାନ୍ତି। ହେଲେ ସେମାନଙ୍କ ଇସ୍ତଫା ନିଷ୍ପତ୍ତି ପଛରେ ଅନେକ କାରଣ ଥିବାର ଏବେ ଚର୍ଚ୍ଚା ହେଉଛି। ଏଥିରେ ଯେଉଁଟି ପ୍ରମୁଖ କାରଣ ବୋଲି କୁହାଯାଉଛିତାହା ହେଉଛି ଚୀନ୍ର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି। ଏବେ ଆଣବିକ କେନ୍ଦ୍ରକୁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ବେଳେ ବୈଜ୍ଞାନିକଙ୍କ ଉପରେ ଚାପ ପକାଇ କାମ କରାଉଛି। ଯାହାକୁ ନେଇ ଗତ ଜୁନମାସରେ ଆଇନେଷ୍ଟରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପ୍ୟାରେଣ୍ଟିଂ ସଂସ୍ଥା ମଧ୍ୟରେ ବିବାଦ ଉପୁଜିଥିଲା।
ଏହାଛଡା ଏଠାରେ କାର୍ଯ୍ୟରତ ବୈଜ୍ଞାନିକଙ୍କୁ କାମ କରିବାର ସ୍ୱାଚ୍ଛନ୍ଦ୍ୟ ମିଳୁନଥିବା ବେଳେ ସେମାନେ ଆବଶ୍ୟକ କରୁଥିବା ଜରୁରି ସଂସାଧନ ଓ ସୁବିଧା ମଧ୍ୟ ପ୍ରଦାନ କରାଯାଉନାହିଁ। ଆଇନେଷ୍ଚ ହେଫି ଇନିଷ୍ଟିଚ୍ୟୁଟ୍ ଅଫ ଫିଜିକାଲ ସାଇନ୍ସ ଦ୍ୱାରା ପରିଚାଳିତ ହେଉଛି। ଏହା ଚାଇନିଜ୍ ଆକାଡେମୀ ଅଫ ସାଇନ୍ସ ନାମରେ ମଧ୍ୟ ଜଣାଯାଏ। ଏଠାରେ କାର୍ଯ୍ୟରତ ୮୦ ପ୍ରତିଶତ କର୍ମଚାରୀ ପିଏଚଡି ଡିଗ୍ରି ହାସଲ କରିଛନ୍ତି। ଚୀନକୁ ବିଜ୍ଞାନର ପାୱାର ହାଉସରେ ପରିବର୍ତ୍ତିତ କରିବା ଲାଗି ଗତବର୍ଷ ସରକାରଙ୍କ ଆହ୍ୱାନରେ ଆମେରିକା ଓ ୟୁରୋପର ବିଭିନ୍ନ ଗବେଷଣାଗାରରେ କାମ କରୁଥିବା ୧୬ ହଜାର ବୈଜ୍ଞାନିକ ଦେଶକୁ ଫେରିଆସିଥିଲେ।
ଯେଉଁ ବୈଜ୍ଞାନିକମାନେ ବିଦେଶରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଦେଶରେ ଗବେଷଣା ଲାଗି ବିଦେଶ ଭଳି ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନେ ଦେଶକୁ ଫେରି ଆସିବା ପରେ ସେମାନଙ୍କ ଭ୍ରମ ଦୂର ହୋଇଛି। ଦେଶରେ ବୈଜ୍ଞାନିକ ଗବେଷଣା ଲାଗି ସରକାର କୌଣସି ସୁବିଧା ସୁଯୋଗ ଦେଉ ନଥିବା ସେମାନଙ୍କ ଇସ୍ତଫାର ମୂଳ କାରଣ ବୋଲି ଏବେ କୁହାଯାଉଛି। ୯୦ ଜଣଙ୍କ ଏକକାଳୀନ ଇସ୍ତଫା ପରେ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକଙ୍କ ସଂଖ୍ୟା ଏବେ ଶହେରୁ ବି ତଳକୁ ଖସିଯାଇଛି।
ଜଣେ ଚୀନୀ ଅଧିକାରୀଙ୍କ ଅନୁଯାୟୀ, ଦିନ ଥିଲା ଏହି ସଂସ୍ଥାରେ ୫୦୦ ବୈଜ୍ଞାନିକ କାମ କରୁଥିଲେ। ଗତ ଅନେକ ବର୍ଷ ହେବ ବଡ ସଂଖ୍ୟାରେ ବୈଜ୍ଞାନିକ ଇସ୍ତଫା ଦେଇ ସାରିଲେଣି। ଅବସ୍ଥା ଏମିତି ଯେ, ଏଠାରେ ବର୍ତ୍ତମାନ କେବଳ ୧୦୦ ବୈଜ୍ଞାନିକ ହିଁ ବଳକା ଅଛନ୍ତି। ଏହି ବୈଜ୍ଞାନିକଙ୍କ ମାସିକ ବେତନ ପ୍ରାୟ ୧୦ ହଜାର ୟୁଆନ(୧୪୩୦ ଡଲାର) ରହିଛି।