
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ହାଇଦ୍ରାବାଦ ୨୯/୦୭: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ଏହି କ୍ରମରେ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ବଂଶଧର ଫ୍ରିନ୍ସ ହାବୀବୁଦ୍ଦିନ ଟୁସି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ସୁନା ଇଟା ଦେବେ ବୋଲି କହିଛନ୍ତି। ଶାମସାବାଦରେ ରହୁଥିବା ଫ୍ରିନ୍ସ ଟୁସି ଦେବାକୁ ଥିବା ଗୋଟିଏ ସୁନା ଇଟାକୁ ମନ୍ଦିର ନିର୍ମାଣର ପ୍ରଥମ ଇଟା ବ୍ୟବହାର କରାଯାଉ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ପ୍ରିନ୍ସ ଟୁସି କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ମୁଁ ୧ କେଜିର ଗୋଟିଏ ସୁନା ଇଟା ଦେବାକୁ ଚାହୁଁଛି। ଏହାର ମୂଲ୍ୟ ୧.୮୦ କୋଟି ଟଙ୍କା। ଦେଢ଼ ମାସ ତଳେ ଦିଲ୍ଲୀରେ ମୁଁ ଏହାକୁ ତିଆରି କରି ଆଣିଥିଲି। ଏହା ବର୍ତ୍ତମାନ ସୁରକ୍ଷିତ ଭାବେ ରହିଛି। ସୁନା ଇଟାରେ ଜୟ ଶ୍ରୀରାମ ଖୋଦେଇ ହୋଇଛି।

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମିଟିଂ ଡାକିବାକୁ କହିଛି। ଏହି ମିଟିଂରେ ମୁଁ ଏହି ଇଟାଟିକୁ ତାଙ୍କୁ ଦେବି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ବେଳେ ମୁଁ ନିଶ୍ଚିତ ସେଠାକୁ ଯିବି। ମୁଁ ଜାଣିଛି କୋଭିଡ-୧୯ ପାଇଁ ଖୁବକମ ଭିଡ଼ ହେବ। ତଥାପି ମୋତେ ନିମନ୍ତ୍ରଣ ମିଳିଲେ ମୁଁ ନିଶ୍ଚିତ ସେଠାକୁ ଯିବି ବୋଲି ସେ କହିଛନ୍ତି।
ଗତକାଲି ପ୍ରିନ୍ସ ଟୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସମସ୍ତ ହିନ୍ଦୁ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।