ଅଗଷ୍ଟରେ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀବାହୀ ଟ୍ରେନ ଏହି ରୁଟ୍ରେ ଚଳାଚଳ କଲେ କେନ୍ଦ୍ରାପଡ଼ା ସମେତ ବହୁ ଲୋକ ଉପକୃତ ହେବେ।
ନବୀନ ଏହି ଚିଠିରେ ଦର୍ଶାଇଛନ୍ତି ଯେ, ‘‘୮୨ କିଲୋମିଟର ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଏହି ରେଳପଥ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ଏଣୁ ଏହି ରୁଟ୍ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ରାଜ୍ୟବାସୀ ଦାବି କରୁଛନ୍ତି। ଏଣୁ ଆସନ୍ତା ଅଗଷ୍ଟ ମାସରୁ ଏହି ରୁଟ୍ରେ ପାସେଞ୍ଜର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉ।’’
ଦୀର୍ଘ ୨୩ ବର୍ଷ ପରେ ହରିଦାସପୁର-ପାରାଦୀପ ରେଳପଥ ପୂର୍ଣ୍ଣାଙ୍ଗ ହୋଇଛି। ୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥରେ ଯାଜପୁର ଜିଲ୍ଲାରେ ୨୯ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୨୦ କିଲୋମିଟର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହାର ଦୈର୍ଘ୍ୟ ୪୩ କିଲୋମିଟର ରହିଛି। ଏହି ଫାଟକ ବିହୀନ ରେଳପଥ, ଖଣିଜ ଜିଲ୍ଲା ଯାଜପୁର ସହିତ ବନ୍ଦର ଜିଲ୍ଲା ଜଗତସିଂହପୁର ଜିଲ୍ଲାକୁ ଯୋଡିଛି। ଏହି ରେଳପଥରେ ଯାଜପୁର ଜିଲ୍ଲାରୁ ପାରାଦୀପ ବନ୍ଦରକୁ ଖଣିଜଦ୍ରବ୍ୟ ପରିବହନ ପାଇଁ ମାଲବାହୀ ଟ୍ରେନ ଚଳାଚଳ କରିବ।
![](https://i0.wp.com/kalingajyoti.com/wp-content/uploads/2020/07/pg-1.jpg?resize=387%2C290&ssl=1)
ଗତ ୨୪ ତାରିଖରେ ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ଯାତ୍ରୀବାହୀ ଟ୍ରେନ ଗଡ଼ିଥିଲା। ୧୯୯୯ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ଏହି ରେଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଦେଖିନାହାନ୍ତି। ତେଣୁ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ସ୍ପେଶାଲ ପରର୍ପସ ଭେହିଙ୍କିଲ(ଏସପିଭି) ଗଠନ କରିବା ସହ ଓଡ଼ିଶା ସରକାର ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ ଫି’ ଛାଡ଼ ସହ ଅଧିଗ୍ରହଣ ହୋଇଥିବା ଜମିର ପ୍ରିମିୟମ ମଧ୍ୟ ଛାଡ଼ କରିଥିଲେ।
ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ରେଳଲାଇନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶା ଯେ ଏହି ରୁଟରେ ଟ୍ରେନ ଚାଲୁ। ଆସନ୍ତା ଅଗଷ୍ଟରୁ ହିଁ ଏହି ଲାଇନରେ ଟ୍ରେନ ଚଳାଇବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ହରିଦାସପୁର-ପାରାଦୀପ ରେଳମାର୍ଗ ନିର୍ମାଣ ନିମନ୍ତେ କେନ୍ଦ୍ରାପଡ଼ାର ତତକାଳୀନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ନିରନ୍ତର ପ୍ରୟାସ କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ସେତେବେଳେ ଉଭୟ ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାର ଏସପିଭି ଗଠନ କରି ରେଳମାର୍ଗ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିଥିଲେ। ଏହି ନୂଆ ରେଳମାର୍ଗରେ ଗତ ଜୁଲାଇ ୯ଜାରିଖରେ ପରୀକ୍ଷାମୂଳକ ଭାବେ ଟ୍ରେନ ଚଳାଚଳ କରିଥିଲା।