ଯଦି ସରକାର ଯଥେଷ୍ଟ ଆଗରୁ ରଥଯାତ୍ରା ନେଇ ନିଷ୍ପତ୍ତି ନେଇଥାନ୍ତେ ଶେଷ ମୁହୂର୍ତ୍ତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ତାହା ହୋଇନଥାନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି। ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟ ରାୟ ଦେଇ କହିଥିଲେ ଯେ ରଥଯାତ୍ରା ହେବ କି ନା ତାହା ଓଡ଼ିଶା ସରକାର ସ୍ଥିର କରନ୍ତୁ। ସେତେବେଳକୁ ହାତରେ ୧୨ ଦିନ ସମୟ ଥିଲା। କିନ୍ତୁ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ ଏକଥା କହିଛନ୍ତି ଗଜପତି।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କହିବା ଅନୁଯାୟୀ ସେ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କୁ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ରଥଯାତ୍ରା ସମ୍ପର୍କରେ ପତ୍ର ଲେଖିଥିଲେ। ‘ହଁ କି ନାହିଁ’ କରିବା ପାଇଁ ଯଥେଷ୍ଟ ସମୟ ଥିଲା ବୋଲି ଗଜପତି କହିଛନ୍ତି।
ବିନା ଭକ୍ତରେ ଓ କଡ଼ା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବା ପରେ ଏନେଇ ପୁରୀ ମହାରାଜା ଏବେ ପାଟି ଖୋଲିଛନ୍ତି। ଏବର୍ଷର ରଥଯାତ୍ରାକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଲା ଓ ଲୋକେ ଏଥିରେ ଯେଉଁଭଳି ଭାଗ ନେଇପାରିଲେ ନାହିଁ ସେଥିପାଇଁ ଓଡ଼ିଶା ସରକାରଙ୍କ ‘ନିଷ୍ପତ୍ତିହୀନତା’ କୁ ସେ ଦାୟୀ କରିଛନ୍ତି। ରଥଯାତ୍ରା ପାଳନ କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଏହା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବା ପଛରେ ସରକାରଙ୍କ ଛକାପଞ୍ଝା ଦାୟୀ ବୋଲି କହିଛନ୍ତି ପୁରୀ ଗଜପତି।
ଜୁନ ୧୮ ତାରିଖ ପର୍ଯ୍ୟନ୍ତ ସେ ଓ ସମଗ୍ର ରାଜ୍ୟବାସୀ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଅନ୍ଧାରରେ ରହିଥିଲେ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟକୁ ମାମଲା ଯିବା ଯାଏଁ କାହିଁକି କୌଣସି ନିଷ୍ପତ୍ତି ନିଆଗଲା ନାହିଁ ତାହା ସେ ବୁଝି ପାରିନଥିଲେ ବୋଲି ଗଜପତି ମନ୍ତବ୍ୟ ଦେଇଛନ୍ତି।
ଜୁନ ୧୮ରୁ ୨୩ ମଧ୍ୟରେ ଯାହା ସବୁ ଘଟିଲା ତାହାକୁ ସେ ‘ମିରାକଲ’ ବୋଲି କହିବା ସହ ସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ମତ ଦେଇଛନ୍ତି।