କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭:: ଜିଏସ୍ଟି ଠକେଇକାରୀଙ୍କୁ ଆଉ ମିଳିବନି ରକ୍ଷା। ଜିଏସ୍ଟି ଠକେଇ ମାମଲାରେ ଦିଆଯିବନି ଜାମିନ। କାରଣ ଜିଏସ୍ଟି ଠକେଇ ଦ୍ୱାରା ଦେଶର ଅର୍ଥନୀତି ଧ୍ୱଂସ ହେଉଛି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏଭଳି ଅପରାଧୀଙ୍କୁ ଆଇନ ପରସରକୁ ନଆଣିଲେ ପୂରା ଦେଶ ପ୍ରଭାବିତ ହେବ। ଜିଏସ୍ଟି ଠକେଇ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ପ୍ରାୟ ୧୨୨ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଅମିତ ବେରିଓ୍ୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହି ରାୟ ସହିତ ଅମିତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।
ଅମିତ ବିଭିନ୍ନ ଜାଲ ସଂସ୍ଥା ଖୋଲି ଆଇଟିସି ଉପଯୋଗ କରି ପ୍ରାୟ ଶହେ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ରାଜ୍ୟକୁ ୧୨୧ କୋଟି ୬୭ ଲକ୍ଷ ଟଙ୍କା ରାଜସ୍ୱ ସହିବାକୁ ପଡ଼ିଥିଲା। ଏ ନେଇ ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ୨୦୨୦, ଜାନୁଆରି ୧୮ରେ ମାମଲା ରୁଜୁ କରିଥିଲା। ଏହାପରେ ଅମିତଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଜିଏସ୍ଟି ଏନଫେର୍ସମେଣ୍ଟ ସ୍ୱାଡ ଗିରଫ କରିଥିଲା।
ଫେବ୍ରୁଆରି ୨୪, ୨୦୨୦ରେ ଅମିତ ରାଉରକେଲା ଅତିରକ୍ତି ଦୌରା ଜଜ୍ ଅଦଳାତରେ ଜାମିନ ଆବେଦନ କରିଥିଲେ। ସେଠାରେ ନିୟମିତ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।
ହାଇକୋର୍ଟରେ ଜିଷ୍ଟସ ସଞ୍ଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସମ୍ପର୍କିତ ଜାମିନ ଆବେଦନର ଶୁଣାଣି କରି ଜୁନ ୧୦ରେ ରାୟ ସଂରକ୍ଷିତ ରଖିଥିଲେ। ଏବେ ହାଇକୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି।