କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୦୨/୦୮: ୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନ୍ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ | ଜୁଲାଇ ୧୮,୨୦୨୦ରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ନିକଟକୁ ଏ ନେଇ ଦୁଇଟି ବିଲ ପଠା ଯାଇଥିବା ବେଲେ ଜୁଲାଇ ୩୧ରେ ଦୁଇଟି ବିଲ୍ ସ୍ୱାକ୍ଷର କରିଛନ୍ତି ରାଜ୍ୟପାଳ |
ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ସମଗ୍ରିକ ଅଞ୍ଚଳ ବିକାଶ ବିଲ୍, ୨୦୨୦ ଏବଂ ଆନ୍ଧ୍ରପ୍ରଦେଶର ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ(ପ୍ରତ୍ୟାହାର) ବିଲ୍ ୨୦୨୦ ଆଦି ଦୁଇଟି ବିଧେୟକ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ବେଳେ ଗତକାଲି ଆନୁଷ୍ଠାନିକ ଭାବେ ଏହାକୁ ସ୍ୱାକ୍ଷରିତ କରିଛନ୍ତି ରାଜ୍ୟପାଳ |
ଗତବର୍ଷ ୩ଟି ରାଜଧାନୀ ହେବା ନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଥିଲେ ଯେ, ବର୍ତ୍ତମାନର ରାଜ୍ୟର ରାଜଧାନୀ ଥିବା ଅମରାବତୀ ସମେତ ବିଶାଖାପାଟନମ୍ ଓ କୁର୍ଣ୍ଣୁଲକୁ ମଧ୍ୟ ରାଜ୍ୟର ରାଜଧାନୀ ରୂପେ ବିକଶିତ କରାଯିବ ସହ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ। ଏବେ କ୍ଷମତା ଓ ଶାସନର ବିକେନ୍ଦ୍ରୀକରଣ ପାଇଁ ସ୍ୱତନ୍ତ୍ର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ତେଣୁ ଦକ୍ଷିଣ ଆଫ୍ରିକା ଢ଼ାଞ୍ଚାରେ ଆନ୍ଧ୍ରପ୍ରଦେଶର ତିନିଟି ରାଜଧାନୀ ରଖିବାକୁ ସ୍ଥିର କରାଯାଇଛି। ସେଥିପାଇଁ ଅମରାବତୀ ସମେତ ବିଶାଖାପାଟନମ୍ ଓ କୁର୍ଣ୍ଣୁଲକୁ ମଧ୍ୟ ରାଜ୍ୟ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ। ଅମରାବତୀ ହେବ ରାଜ୍ୟର ବିଧାନ (ଲେଜିସ୍ଲେଟିଭ୍) ରାଜଧାନୀ ଏବଂ ଏଠାରେ ରହିବ ରାଜ୍ୟ ବିଧାନସଭା। ସେହିପରି ବିଶାଖାପାଟନମ୍ ହେବ ରାଜ୍ୟର କାର୍ଯ୍ୟନିର୍ବାହୀ (ଏକ୍ଜିକ୍ୟୁଟିଭ୍) ରାଜଧାନୀ। ଏଠାରେ ରହିବ ରାଜ୍ୟ ସଚିବାଳୟ। ଏବଂ କୁର୍ଣ୍ଣୁଲ ହେବ ରାଜ୍ୟର ନ୍ୟାୟିକ (ଜୁଡିସିଆଲ) ରାଜଧାନୀ। ଏଠାରୁ ରାଜ୍ୟର ହାଇକୋର୍ଟ କାର୍ଯ୍ୟ କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ରେଡ୍ଡି