ସିବିଆଇ ହାତକୁ ଗଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ତଦନ୍ତ ପାଇଁ କଲେ ସୁପାରିଶ
ପାଟନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ପରିବାରର ସହମତି କ୍ରମେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି। ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସୁଶାନ୍ତଙ୍କ ବାପା ରାଜ୍ୟ ପୁଲିସ୍ ମୁଖ୍ୟଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ମାମଲା ନୂଅା ମୋଡ଼ ନେଇଥିଲା। ବିହାର ଡିଜିପି କେକେ ସିଂହଙ୍କୁ ମାମଲାର ସିବିଆଇ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର ଡିଜିପିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ ତଦନ୍ତ ସକାଶେ ଆବଶ୍ୟକୀୟ ସମସ୍ତ ଔପଚାରିକତା ପୂରା କରିବାକୁ କହିଛନ୍ତି।
ଏହା ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଆଗତ ହୋଇଥିଲା। ଏହାର ଶୁଣାଣି ମଙ୍ଗଳବାର ହେବାର ଥିଲା। ମାତ୍ର ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଏହାକୁ ସ୍ଥଗିତ ରଖାଯାଇଛି। ପରିବାରର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିର୍ଣ୍ଣୟ ନେଇଥିବା ଜାଣିବାକୁ ମିଳିଛି। ପୂର୍ବରୁ ସୁଶାନ୍ତଙ୍କ ବାପା କେକେ ସିଂହ ଘଟଣାର ସିବିଆଇ ଦତନ୍ତ କରିବାକୁ ଦାବି କରିଥିଲେ। ସୁଶାନ୍ତଙ୍କ ବାପା କେକେ ସିଂହ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟି ମଧ୍ୟ ଘଟଣାର ସିବିଆଇ ତଦନ୍ତ ପାଇଁ ନିବେଦନ କରିଥିଲେ।