ଅଯୋଧ୍ୟା ରାମ ମନ୍ଦିରର ଜାରି ହେଲା ପ୍ରଥମ ଫଟୋ : ଏମିତି ଦିଶିବ ରାମ ମନ୍ଦିର: ଦେଖନ୍ତୁ ମନ୍ଦିରର ବିଶେଷତ୍ବ ଓ ଏହାର ପରିସରର ପରିକଳ୍ପନା
୩ ଏକରରେ ମନ୍ଦିର, ୬୭ ଏକର ଜମିରେ ମ୍ୟୁଜିୟମ ସହ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୧୯୮୯ରେ ରାମମନ୍ଦିର ଓ ଏହାର ପରିସର ନିର୍ମାଣ ନିମନ୍ତେ ପ୍ରସ୍ତୁତ କରିଥିଲା ନୂଆ ମଡ଼େଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୫/୦୮: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖାଯିବା ପରେ ମନ୍ଦିର ନିର୍ମାଣ ନିର୍ବାଧ ପ୍ରକ୍ରିୟା ସହ ଆରମ୍ଭ କରି ଦିଆଯିବ। ଏହି ସମୟରେ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଟ୍ରଷ୍ଟ ଭବ୍ୟ ମନ୍ଦିରର ପ୍ରସ୍ତାବିତ ମଡେଲର ଫଟୋ ଜାରି କରି ଦେଇଛି।ଅଯୋଧ୍ୟାରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ମନ୍ଦିରର ଭୂମିପୂଜା କରିବେ । ଏହା ପୂର୍ବରୁ ମଙ୍ଗଳବାର ରାମମନ୍ଦିର ମଡ଼େଲ ସାମ୍ନାକୁ ଆସିଛି । ୧୬୧ ଫୁଟ ଉଚ୍ଚ ରାମମନ୍ଦିରରେ ୫ ମଣ୍ଡପ ଶିଖର ଓ ଏକ ମୁଖ୍ୟ ଶିଖର ରହିବ । କୁହାଯାଉଛି ଯେ ପ୍ରତ୍ୟେକ କୋଣରୁ ମନ୍ଦିର ସ୍ପଷ୍ଟ ଭାବରେ ପରିଲକ୍ଷିତ ହେବା ପରି ଢ଼ାଞ୍ଚା ପ୍ରସ୍ତୁତ କରାଯାଇଛି । ୧୯୮୯ରେ ଏହି ମଡ଼େଲ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାମାନ୍ୟ ପରିବର୍ତନ କରିଛି। ଏହି ମନ୍ଦିର ନିର୍ମାଣ ନିମନ୍ତେ ୪୨ ମାସ ଧାର୍ଯ୍ୟ ହୋଇଛି ।
ମନ୍ଦିରର ଏହି ଡିଜାଇନ ବାସ୍ତୁକାର ନିଖିଲ ସୋମପୁରା ପ୍ରସ୍ତୁତ କରିଛନ୍ତି। ୧୯୮୯ମସିହାରେ ପ୍ରସ୍ତାବିତ ମନ୍ଦିରର ମଡେଲରେ ପରିବର୍ତ୍ତନ କରି ଏହାକୁ ଆହୁରି ଭବ୍ୟ କରି ଦେଇଛନ୍ତି।
ପ୍ରଥମେ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ଫୁଟ ଥିଲା। ଏବେ ଏହା ୧୬୧ଫୁଟ ହେବ। ଏହା ସହିତ ହିଁ ଗମ୍ବୁଜର ସଂଖ୍ୟା ୩ରୁ ବଢ଼ାଇ ୫କରି ଦିଆଯାଇଛି। ମନ୍ଦିରର ଭୂମିର ଆକାର ମଧ୍ୟ ବଢ଼ାଇ ଦିଆଯାଇଛି।
ରାମ ମନ୍ଦିରର ଉଚ୍ଚତାରେ ୩୩ଫୁଟର ବୃଦ୍ଧି କରାଯାଇଛି। ଏହି କାରଣରୁ ଆଉ ଏକ ମହଲା ବଢ଼ାଇବାକୁ ପଡ଼ିଛି। ମନ୍ଦିରର ପୁରୁଣା ମଡେଲ୍ ହିସାବରେ ମନ୍ଦିରର ଲମ୍ବ ୨୬୮ଫୁଟ ୫ଇଞ୍ଚ ଥିଲା। ଏହାକୁ ବଢ଼ାଇ ୨୮୦-୩୦୦ ଫୁଟ କରାଯାଇପାରିବ। ମନ୍ଦିର ନିର୍ମାଣ ହେବାକୁ ୩ରୁ ସାଢ଼େ ବର୍ଷ ସମୟ ଲାଗିବ।
ରାମମନ୍ଦିର ନକ୍ସା ପ୍ରସ୍ତୁତ କରିଥିବା ମୁଖ୍ୟ ସ୍ଥପତି ସୋମପୁରାଙ୍କ ପୁଅ ନିଖିଳ ସୋମପୁରାଙ୍କ ସୂଚନା ଅନୁସାରେ ମନ୍ଦିର ନିକଟରେ ୭୦ ଏକର ଜମି ରହିଛି । ମାତ୍ର ଏହାମଧ୍ୟରୁ ୩ ଏକର ଜମିରେ ମନ୍ଦିର ନିର୍ମାଣ ହେବ । ଅବଶିଷ୍ଟ ଜମିରେ ମନ୍ଦିର ପରିସର ନିର୍ମାଣ ହେବ ।
ରାମମନ୍ଦିର ନିର୍ମାଣ ନିମନ୍ତେ ୧୨ରୁ ୧୪ ଫୁଟ ଉଚ୍ଚତାର ପ୍ଲାଟଫର୍ମ ନିର୍ମାଣ ହେବ । ମନ୍ଦିରରେ ଦୈନିକ ୧ ଲକ୍ଷ ଭକ୍ତଙ୍କ ଯାତାୟତ କରିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ମନ୍ଦିର ଢ଼ାଞ୍ଚାରେ ସାମାନ୍ୟ ପରିବର୍ତନ କରାଯାଇଛି । ମନ୍ଦିରକୁ ନାଗର ଣୈଳୀରେ ନିର୍ମାଣ କରାଯାଇଛି । ଏଥିରେ ସିମେଣ୍ଟ ବ୍ୟବହାର କରାଯିବ ନାହିଁ । ପ୍ରଥମେ ମନ୍ଦିରର ଦୁଇଟି ଚୂଡ଼ା ନିର୍ମାଣ ପାଇଁ ଯୋଜନା ହୋଇଥିଲା । ମୂଳ ମଡ଼େଲକୁ ବିନା ପରିବର୍ତନ କରି ୫ଟି ଚୂଡ଼ା କରାଯିବ ବୋଲି ସ୍ଥିର ହୋଇଛି । ଗର୍ଭଗୃହର ୨୦୦ ଫୁଟ ନିମ୍ନ ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇଛି । ଯେଉଁ ସ୍ଥାନରେ ମନ୍ଦିର ଭାର ସହନକ୍ଷମ ମାଟି ଦୁର୍ବଳ ଜଣାଯିବ ସେଇଠାରୁ ମନ୍ଦିରର ନିଅଁ ପର୍ଯ୍ୟନ୍ତ ପ୍ଳାଟଫର୍ମ ନିର୍ମାଣ ହେବ ।
ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବସିବା, ପ୍ରାର୍ଥନା କରିବା ନିମନ୍ତେ ମଣ୍ଡପ ନିର୍ମାଣ ହେବ । ମନ୍ଦିରରେ ସିଂହଦ୍ବାର, ରଙ୍ଗମଣ୍ଡପ, ନୃତ୍ୟମଣ୍ଡଳ, ପୂଜା କକ୍ଷ ଓ ଗର୍ଭଗୃହ ଉପରେ ୫ଟି ଚୂଡ଼ା ରହିବ । ଶିଳାପୂଜା ପରେ ମେସିନ ସହାୟତାରେ ନିଅଁ ଖୋଳା ପ୍ରକ୍ରିୟା ଆରମ୍ଭ ହେବ । ଏହି ମନ୍ଦିରରେ ୩୧୮ଟି ଖମ୍ବ ରହିବ ଏବଂ ସାରା ମନ୍ଦିର ଏହି ଖମ୍ବ ଉପରେ ଠିଆ ହେବ । ମନ୍ଦିର ନିମନ୍ତେ ପାଖାପାଖି ୧.୭୫ ଲକ୍ଷ ଘନ ମିଟର ପଥର ଆବଶ୍ୟକ ହେବ । କାରସେବକପୁରମରୁ ମନ୍ଦିର ନିମନ୍ତେ ପଥର ଅଣାଯିବ ଏବଂ ଏଥିରେ ପ୍ରଥମ ମହଲା ନିର୍ମାଣ ହେବ । ଅବଶିଷ୍ଟ ଦୁଇ ମହଲା ନିମନ୍ତେ ପଥର ପରବର୍ତୀ ପର୍ଯ୍ୟାୟରେ ଅଣାଯିବ । ମନ୍ଦିରର ନିଅଁର ପ୍ଲାଟଫର୍ମ ନିର୍ମାଣ ନିମନ୍ତେ ୩ରୁ ୪ ମାସ ଲାଗିବ ବୋଲି ଆକଳନ କରାଯାଇଛି ।
ରାମମନ୍ଦିର ପରିସରରେ ନକ୍ଷତ୍ର ବାଟିକା ନିର୍ମାଣ ହେବ । ଏହା ଗୋଟିଏ ଗୋଟିଏ ନକ୍ଷତ୍ର ସହ ସଂଯୋଗ ହେବ । ଏହା ନାଗର ଣୈଳୀରେ ଅଷ୍ଟକୋଣୀୟ ମନ୍ଦିର ନିର୍ମାଣ ହେବ । ଏଥିରେ ଭଗବାନ ରାମଙ୍କ ମୂର୍ତି ଓ ରାମଙ୍କ ଦରବାର ନିର୍ମାଣ ହେବ । ମୁଖ୍ୟ ମନ୍ଦିର ଆଗ ଓ ପଛ ପାଖରେ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ । ମନ୍ଦିର ନିର୍ମାଣ ନିମନ୍ତେ ରାମ ଜନ୍ମଭୂମି ଟ୍ରଷ୍ଟ ଓ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ପଥର ଆମଦାନୀ ଓ ଏହାର ଖୋଦେଇ କାମ ୧୯୯୦ ମସିହାରୁ ଆରମ୍ଭ ହୋଇଛି ।
ରାମ ମନ୍ଦିରର ୫ଗମ୍ବୁଜ ତଳ ଭାଗରେ ୪ଭାଗ ରହିବ। ଏଥିରେ ସିଂହଦ୍ବାର,ନୃତ୍ୟ ମଣ୍ଡପ,ରଙ୍ଗ ମଣ୍ଡପ ନିର୍ମିତ ହେବ। ଏଠାରେ ଶ୍ରଦ୍ଧାଳୁଙ୍କ ବସିବା,ବୁଲିବା ଏବଂ ବିବିଧ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ସ୍ଥାନ ରହିବ।
ମନ୍ଦିରରେ ଲାଗିବାକୁ ଥିବା ପଥର ସଫା କରି ଚମକାଇବାର କାମ ଦିଲ୍ଲୀର କମ୍ପାନୀ କରୁଛି। ମାଟି ପରୀକ୍ଷଣ ରିପୋର୍ଟ ଆଧାରରେ ମନ୍ଦିର ପାଇଁ ତୀକ୍ଷଣ ଖୋଦନ ହେବ। ଏହା ୨୦ରୁ ୨୫ଫୁଟ ଗଭୀର ହୋଇପାରେ।
ପ୍ଲାଟଫର୍ମ କେତେ ଉଚ୍ଚ ହେବ ଏହାର ନିର୍ଣ୍ଣୟ ରାମ ମନ୍ଦିର ଟ୍ରଷ୍ଟ କରିବ। ଏବେ ୧୨ଫୁଟରୁ ୧୪ଫୁଟ ଉଚ୍ଚତା କଥା ଆଲୋଚନା ଚାଲିଛି। ରାମ ମନ୍ଦିରର ନୂଆ ମଡେଲ୍ ମୁତାବକ,ପୂରା ମନ୍ଦିରରେ ମୋଟ ୩୧୮ଟି ସ୍ତମ୍ଭ ରହିବ। ମନ୍ଦିରର ପ୍ରତ୍ୟେକ ତଳରେ ୧୦୬ସ୍ତମ୍ଭ ନିର୍ମିତ ହେବ।
ମନ୍ଦିର ନିର୍ମାଣ ହେବାକୁ ଅତି କମରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ବଢ଼ି ବି ପାରେ। ରାମ ମନ୍ଦିରର ଡିଜାଇନ୍ ନାଗର ଷ୍ଟାଇଲର। ଏହାକୁ ଶିଳ୍ପ ଶାନ୍ତ୍ରକୁ ମୁଣ୍ଡରେ ରଖି କରାଯାଇଛି।
ରାମମନ୍ଦିର ସମ୍ପୂର୍ଣ୍ଣ ୭୦ ଏକର ଜମିରେ ପରିବ୍ୟାପ୍ତ ହେବ । ଏଥିରେ ମନ୍ଦିର ଓ କରିଡ଼ର ନିମନ୍ତେ ୩ ଏକର ଜମି ରହିଛି । ଅବଶିଷ୍ଟ ୬୭ ଏକର ଜମିରେ ଅନ୍ୟାନ୍ୟ ମନ୍ଦିର ଏବଂ ଥିମ୍ ଗୃହ ନିର୍ମାଣ ହେବ । ସମ୍ପୂର୍ଣ୍ଣ ପରିସରରେ ବୃକ୍ଷରୋପଣ କରାଯିବ ।