![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/er.jpg?resize=275%2C183)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬:ଗୋଟିଏ ପଟେ ଏଲଏସି ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୀତିକ ଏବଂ ସାମିରକ ସ୍ତରରେ ଆଲୋଚନା ଜାରି ରହିଛି। ଅନ୍ୟପଟେ ଦୁଇ ଦେଶ ସେନା ଠୁଳ କରିବା ସହିତ ସୀମାରେ ଲଢ଼ୁଆ ବିମାନ ମୁତୟନ କରୁଛନ୍ତି। ଏହାରି ଭିତରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)। କାରଣ ନିକଟରେ ପିଓକେର ସ୍କାର୍ଦୁ ଏୟାରବେସରେ ଚୀନର ବିମାନ ଅବତରଣ କରିଛି।
ଏହାକୁ ଅଣଦେଖା ନକରି ଭାରତ ଏବେ ପିଓକେ ଉପରେ କଡ଼ା ନଜର ରଖିଛି। ଯଦି ସେମିତି କିଛି ସ୍ଥିତି ଉପୁଜେ ତା’ହେଲେ ଚୀନ ପାକିସ୍ତାନର ଏୟାରବେସ୍ ବ୍ୟବହାର କରିପାରେ ବୋଲି ଆଶଙ୍କା କରାଯାଉଛି। ଚୀନର ବାୟୁସେନା (ପିଏଲଏଏଫ) ପିଓକେକୁ ନିଜର ଘାଟି ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ରହିଛି।
ଏଲଏସିରେ ମଧ୍ୟ ଚୀନର ଲଢ଼ୁଆ ବିମାନ ଆକାଶରେ ବାରମ୍ୱାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନ୍ ଏବଂ ଚୀନର ଏହି ହରକତ ପରେ ଭାରତୀୟ ବାୟୁସେନା ମଧ୍ୟ ଆଲର୍ଟ ରହିଛି। ଏମିତିକି ଆକାଶ ମାର୍ଗରେ ମଧ୍ୟ ଭାରତୀୟ ବାୟୁସେନା କଡ଼ା ନଜର ରଖିଛି। ଚୀନ୍ ଏବେ ନିଜର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ହୋଟନ ଏୟାରବେସରେ ଏସୟୁ ୨୭ ଲଢ଼ୁଆ ବିମାନ ମହଜୁଦ ରଖିଥିବା ସୂଚନା ରହିଛି।
ଚୀନ୍ ସେନା ପାଖରେ ତିବ୍ବତ ଏବଂ ତା’ର ଆଖପାଖ ଅଞ୍ଚଳରେ ଅନେକ ଏୟାରବେସ୍ ରହିଛି। ସେଥିମଧ୍ୟରୁ ହୋଟେନ୍ ଏୟାରବେସ୍ ଅନ୍ୟତମ। ତେବେ ଏହି ଏୟାରବେସ ୪ ହଜାର ଫୁଟ୍ ଉପରେ ରହିଛି। ଏଠାରୁ ଲଢ଼ୁଆ ବିମାନ ଅସ୍ତ୍ରଶସ୍ତ୍ର ଭର୍ତ୍ତି କରି ଚୀନ୍ ସେନା ଉଡ଼ିବା ସେତେଟା ସହଜ ନୁହେଁ।
ତେବେ ଭାରତ ଏବେ ପଞ୍ଜାବ, ହରିଆଣା ଏୟାରବେସରେ ବିମାନ ମହଜୁଦ ରଖି କାଉଣ୍ଟର କରିବା ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଯଦି ଯୁଦ୍ଧ ହୁଏ ତା’ହେଲେ ଭାରତ ବିରୋଧରେ ଲଢ଼ିବା ପାଇଁ ପିଓକେର ଏହି ଘାଟିକୁ ପାକିସ୍ତାନ ଚୀନକୁ ହସ୍ତାନ୍ତର କରିପାରେ। ନିକଟରେ ପାକିସ୍ତାନ ବାୟୁସେନାର ପରିବହନ ବିଭାଗର ବିମାନ ବ୍ୟତୀତ ପିଏଲଏଏଏଫର ଆଇଏଲ ୭୮ ଟ୍ୟାଙ୍କର ଅବତରଣ କରିଥିବା ସୂଚନା ରହିଛି। ସ୍କର୍ଦୁ ଏୟାରବେସ୍ ଲେହ ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ନିକଟରେ ଏହି ଏୟାରବେସକୁ ବିସ୍ତାର କରିଛି ପାକିସ୍ତାନ୍।
ଅନ୍ୟପଟେ ସାଟେଲାଇଟ୍ ଫଟୋରୁ ସୂଚନା ମିଳିଛି, ପ୍ୟଙ୍ଗାଙ୍ଗ ହ୍ରଦରୁ ୨୦୦ କିଲୋମିଟର ଦୂରରେ ଚୀନ୍ ଏକ ପୁରୁଣା ଏୟାରବେସକୁ ଅପଗ୍ରେଡ୍ କରୁଛି।