କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସାରା ଦେଶରେ ସର୍ବ ବୃହତ୍ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଲଞ୍ଚ୍ କରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହା ଆୟୋଜନ ହେବ। ଏହି ରନ୍ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଆୟୋଜନ ହେବ।
କୋଭିଡ୍-୧୯ ମହାମାରୀ ପରିସ୍ଥିତି ଓ ସାମାଜିକ ଦୁରତ୍ୱକୁ ଦୃଷ୍ଟିରେ ରଖି ସରକାର ଏହି ରନ୍ରେ ଭାଗ ନେବାକୁ ଥିବା ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବେ। ରନରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିମାନେ ଯେକୌଣସି ସ୍ଥାନ ଓ ସମୟରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ସାମାଜିକ ଦୂରତ୍ୱ ରଖି ଦୌଡ଼ି ପାରିବେ। ଏହି ସମୟ ଅବଧିରେ ଅଂଶଗ୍ରହଣକାରୀମାନେ କେତେଦିନ ଧରି ନିଜ ଇଚ୍ଛାରେ ବ୍ରେକ୍ ନେଇପାରିବେ। ଗ୍ଲୋବାଲ ପୋଜିଶନିଂ ସିଷ୍ଟମ (ଜିପିଏସ୍) ଦ୍ୱାରା ମୋଟ କିଲୋମିଟରରେ ମୋଟ ଦୂରତା ମାପିହେବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୂର୍ବରୁ ଲଞ୍ଚ୍ ହୋଇଥିବା ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆହୁରି ଦୃଢ ହୋଇପାରିବ। ଫିଟ୍ନେସ୍କୁ ଜୀବନର ଏକ ଅଂଶ କରିବାରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରିଜିଜୁ କହିଛନ୍ତି। ବର୍ତ୍ତମାନ ସାରା ବିଶ୍ୱ କୋଭିଡ୍-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ରନ୍ ତଥା ଇଭେଣ୍ଟର ଗୁରୁତ୍ୱ ଆହୁରି ବଢିଯାଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛା ରଖୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ଫିଟ୍ ଇଣ୍ଡିଆ ଓ୍ବେବସାଇଟ୍ରେ ନିଜକୁ ପଞ୍ଜୀକୃତ କରିପାରିବେ।