![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/frhj6ryi567io85.jpg?resize=425%2C318)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର,୨୮ା୬: ଦେଶରେ ରେଡ୍ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍ କରାଯାଇପାରିବ। ହାର୍ଭାର୍ଡ ମେଡିକାଲ ସ୍କୁଲ ଓ ୟେଲ୍ ସ୍କୁଲ ଅଫ୍ ମେଡିସିନ୍ ପକ୍ଷରୁ ଏନେଇ ତଥ୍ୟ ପ୍ରକାଶ ପାଇଥିବାବେଳେ ବିଶେଷଜ୍ଞମାନେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ନଚେତ ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଥିବା କେବଳ ରେଡ୍ ଲାଇଟ ଅଞ୍ଚଳଗୁଡ଼ିକରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମଣ ଓ ୧୨ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରେଡ୍ ଲାଇଟ୍ ଅଞ୍ଚଳ ମାଳିସାହି ରହିଛି। ଏହାବ୍ୟତୀତ ଏକାଧିକ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏସବୁ କ୍ଷେତ୍ରରେ କଟକଣା ନ ରହିଲେ ସଂକ୍ରମଣ ଆହୁରି ଦ୍ରୁତଗତିରେ ବଢ଼ିଯିବ। କାରଣ ବାହାରୁ ଆସୁଥିବା ଗ୍ରାହକ ଯଦି କୋଭିଡ୍ ସଂକ୍ରମିତ ହୋଇଥିବେ ତା’ହେଲେ ସଂକ୍ରମଣ ସମ୍ପୃକ୍ତ ଦେହଜୀବୀ ଓ ଅନ୍ୟ ଗ୍ରାହକଙ୍କୁ ବ୍ୟାପିଯିବ। ଏଭଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବା ସମ୍ଭବ ନ ଥିବାରୁ ସଂକ୍ରମଣ ହାର ବହୁଗୁଣିତ ହୋଇଯିବ। ସେହିଭଳି ସଂକ୍ରମିତ ଗ୍ରାହକ ମଧ୍ୟ ନିଜ ଅଜାଣତରେ ସହରର ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି।
ଲାଇଟ ଅଞ୍ଚଳଗୁଡ଼ିକରେ ଯଦି ଏବେଠାରୁ ପ୍ରତିରୋଧମୂଳକ ପଦକ୍ଷେପ ନ ନିଆଯାଏ ଏବଂ ସମ୍ପୃକ୍ତ ଅଞ୍ଚଳକୁ ବନ୍ଦ କରା ନ ଯାଏ ତା’ହେଲେ ଏଠାରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ଡା. ସୁଧାକର ନୁତି କହିଛନ୍ତି। ବିଶେଷକରି ମାଳିସାହି ଅଞ୍ଚଳକୁ ବନ୍ଦ ରଖାଗଲେ ଆଗାମୀ ଦିନରେ ସଂକ୍ରମଣ ହାର ଓ ମୃତ୍ୟୁ ଆଶଙ୍କାକୁୁ ୩୫% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ସେମାନେ ମତ ଦେଇଛନ୍ତି।ଏଭଳିସ୍ଥଳେ ଦେହଜୀବୀମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେଇ ଅନ୍ୟାନ୍ୟ ସୁରକ୍ଷିତ କାମରେ ନିୟୋଜିତ କରିବାକୁ କୁହାଯାଇଛି। କୋଭିଡ୍ ପରିସ୍ଥିତି କେବେ ଠିକ୍ ହେବ ସେନେଇ କାହାପାଖରେ ଉତ୍ତର ନ ଥିବାରୁ ଦେହଜୀବୀମାନେ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପର ସନ୍ଧାନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।