ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜେଇଇ-ମେନ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅଗଷ୍ଟ ୬ ତାରିଖରେ ୧୧ଟି ରାଜ୍ୟର ୧୧ ଜଣ ପିଲାଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ କରୋନା ସଙ୍କଟ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଲେ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସବୁ କିଛି ସ୍ୱାଭାବିକ ହେବା ଯାଏ ପରୀକ୍ଷାକୁ ସ୍ଥଗିତ କରାଯାଉ। ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛି।
ଶୁଣାଣି ବେଳେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସୁପ୍ରିମକୋର୍ଟକୁ କହିଥିଲା ଯେ ପରୀକ୍ଷା ବେଳେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିସହ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ଏହାପରେ ସୁପ୍ରିମକୋର୍ଟ କହିଥିଲେ ଯେ ଜେଇଇ ମେନ ଓ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଲେ ଏହା ଶିକ୍ଷାର୍ଥୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ପିଲାଙ୍କ ପାଠପଢ଼ାକୁ ଆମେ କେବେ ବି ଅଧିକ ଦିନ ଯାଏ ସଙ୍କଟ ମଧ୍ୟରେ ଛାଡ଼ି ପାରିବୁ ନାହିଁ ବୋଲି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି। ଆବେଦନ ଖାରଜ ହୋଇଥିବାରୁ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ଯାଏ ଅନୁଷ୍ଠିତ ହେବ। ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ। ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ।