ରାଜଗାଙ୍ଗପୁର: ଜୁଆ ଆଡ୍ଦା ଉପରେ ପୋଲିସ ଚଢ଼ଉ – ୧୬ ଗିରଫ, ୩୭,୭୩୪ ଟଙ୍କା ସମେତ, ୩ ମଟର ସାଇକେଲ,୧୬ଟି ମୋବାଇଲ ଫୋନ ଜବତ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୯/୦୮: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ନିଶା ଓ ଜୁଆ ଖେଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଛୁଆ ଠାରୁ ବୁୁୁୁୁୁଢା ପର୍ଯ୍ୟନ୍ତ ଆବାଳବୃଦ୍ଧ ସମସ୍ତେ ଏହି କୁ-କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଫଳରେ ସମାଜରେ ଏହାର କୁପ୍ରଭାବ ପଡୁଛି।
ଗତକାଲି, ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସହରରେ ପଟ୍ରୋଲିଂ ଚାଲିଥିବା ସମୟରେ ପୋଲିସ ପଟ୍ରୋଲିଂ ଟିମ, ବିଶେଷ ସୂତ୍ରରୁ ଖବରପାଇ ଏସ.ଆଇ. ଖଗପତି ବିଶ୍ୱାଳ, ମୁକୁନ୍ଦ ମୁରାରୀ ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ଓ ଅନ୍ୟ ପୋଲିସ କର୍ମଚାରୀମାନେ ରବାନି ଛକ ନିକଟ ଭାଟିରୋଡ଼ ନିକଟରେ ଥିବା ଜୁଆଆଡ୍ଦା ଉପରେ ଅତର୍କିତ ଚଢ଼ଉ କରିଥିଲେ । ସେଠାରେ ଜୁଆ ଖେଳୁଥିବା ସମୟରେ ରାଜଗାଙ୍ଗପୁର ପୋଲିସ ଅତର୍କିତ ଭାବେ ଚଢ଼ଉ କରି ୧୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୭,୭୩୪ ଟଙ୍କା ସମେତ ୩ଟି ମଟର ସାଇକେଲ, ୧୬ଟି ମୋବାଇଲ ଫୋନ ଓ କିଛି ତାସ ଜବତ କରାଯାଇଛି। ରାଜଗାଙ୍ଗପୁର ପୋଲିସର ଏ ଭଳି ସମୟୋଚିତ ଏବଂ ତ୍ୱରିତ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି।