ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮ : ଅପରେସନ ‘ସମୁଦ୍ର ସେତୁ’ରେ ନୌବାହିନୀର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାରେ ନୌବାହିନୀର ଭୂମିକା ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି। ନୌବାହିନୀର ଉଚ୍ଚପଦସ୍ତ କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସିଂହ କୋଭିଡ୍-୧୯ ମୁକାବିଲାରେ ନୌବାହିନୀ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ ଭୂମିକାଗୁଡ଼ିକର ପ୍ରଶଂସା କରିଛନ୍ତି।
ଭାରତ ମହାସାଗର ଅଞ୍ଚଳର ପଡୋଶୀ ଦେଶରୁ ନୌବାହିନୀ ୪୦୦୦ରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଆଣିଛି। ନୌବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀର ପ୍ରଥମ ଦିନରେ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ ମଧ୍ୟ ପ୍ରମୁଖ କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ତିନିଦିନିଆ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଓ ଏପ୍ରିଲ୍ ମାସରେ ଏହାକୁ ଆୟୋଜନ କରାଯାଇଥାଏ। କିନ୍ତୁ କୋଭିଡ୍ ସଂକ୍ରମଣ ଯୋଗୁଁ ଚଳିତବର୍ଷ ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା।
ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ସୃଷ୍ଟି ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ମହାସାଗରର ସୁରକ୍ଷା କାର୍ଯ୍ୟସୂଚୀର ମୁଖ୍ୟ ପ୍ରସଙ୍ଗ ରହିଛି। ଏହାଛଡ଼ା ନୌବାହିନୀର ଆଧୁନିକୀକରଣ ମଧ୍ୟ ସମ୍ମିଳନୀର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି। କର୍ମଚାରୀ ମାନଙ୍କର ତାଲିମ ଓ କଲ୍ୟାଣ ବିଷୟରେ ମଧ୍ୟରେ ଏଥିରେ ସମୀକ୍ଷା କରାଯିବ।