କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ ।
ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ପ୍ରସ୍ତାବିତ ଜେଇଇ ମେନ୍ର ଆଡମିଟ୍ କାର୍ଡ ଓ କୋଭିଡ୍-୧୯ ସମ୍ବନ୍ଧୀୟ ଫର୍ମକୁ ୱେବ୍ସାଇଟ୍ରେ ଜାରି କରାଯାଇଛି ।
ପରୀକ୍ଷାକେନ୍ଦ୍ରର ଇନଭିଜିଲେଟରଙ୍କ ନିକଟରେ ଘୋଷଣାପତ୍ରକୁ ଦସ୍ତଖତ ସହିତ ଜମା କରିବାକୁ ପଡ଼ିବ । ଗତ ୧୫ ଦିନରୁ ପରୀକ୍ଷାର୍ଥୀଙ୍କୁ ଥଣ୍ଡା, କାଶ,ଜ୍ୱର, କଫ ତଥା ନିଶ୍ୱାସ ପ୍ରଶ୍ୱାସରେ କୌଣସି ସମସ୍ୟା ନଥିବାର ଘୋଷଣାପତ୍ରରେ ଅବଗତ କରାଇବାକୁ ପଡ଼ିବ । ଏହି ଘୋଷଣାପତ୍ରରେ ପରୀକ୍ଷାର୍ଥୀଙ୍କର ଫଟୋ, ଆଙ୍ଗୁଳିର ଚିହ୍ନ ତଥା ଅଭିଭାବକଙ୍କର ଦସ୍ତଖତକୁ ଅନିବାର୍ଯ୍ୟ କରାଯାଇଛି ।