ନୂଆଦିଲ୍ଲୀ ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ନିକଟରେ କୋଭିଡ୍ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି।
ଏହି ଅଧ୍ୟୟନ କରିଥିବା ଗବେଷକମାନେ ୧୧୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରୁ ସଂଗ୍ରହ କରିଥିବା କ୍ଷୀରର ନମୁନାକୁ ବିଶ୍ଳେଷଣ କରିବା ପରେ ଏହା ଜାଣିବାକୁ ପାଇଛନ୍ତି। ୨୦୨୦ ମାର୍ଚ୍ଚରୁ ସେପ୍ଟେଟର ମଧ୍ୟରେ ଏହି ଅଧ୍ୟୟନ କରା ଯାଇଥିଲା। ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ୧୧୦ ଜଣ ମହିଳାଙ୍କ ମଧ୍ୟରୁ ୬୫ ଜଣ କୋଭିଡ୍-୧୯ ପଜିଟିଭ୍ ଥିବାବେଳେ ୯ ଜଣଙ୍କ ଠାରେ କୋଭିଡ୍-୧୯ର ସମସ୍ତ ଲକ୍ଷଣ ରହିଥିଲା କିନ୍ତୁ କୋଭିଡ୍ ପରୀକ୍ଷା ରିପୋର୍ଟ ନେଭେଟିଭ୍ ଆସିଥିଲା ଏବଂ ସେହିପରି ଅନ୍ୟ ୩୬ ଜଣ ମହିଳାଙ୍କ ଠାରେ କୋଭିଡ୍ର ସମସ୍ତ ଲକ୍ଷଣ ଥିଲା କିନ୍ତୁ ଏମାନଙ୍କର କୋଭିଡ୍ ପରୀକ୍ଷା କରାଯାଇ ନଥିଲା।
ସ୍ତନ୍ୟପାନ ନମୁନା ଏବଂ ମହିଳାମାନଙ୍କ ଠାରୁ ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କ ଠାରେ ଅଧ୍ୟୟନ କାଳରେ ସଂକ୍ରମଣର କୌଣସି କ୍ଲିନିକାଲ୍ ପ୍ରମାଣ ନଥିଲା।
ଏହି ଅଧ୍ୟୟନର ମୁଖ୍ୟ ଗବେଷକ ପଲ୍ କ୍ରୋଗଷ୍ଟାଡ୍ କହିଛନ୍ତି: ‘ବ୍ରେଷ୍ଟମିଲ୍କ’ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଏକ ଅମୂଲ୍ୟ ଉତ୍ସ। ଆମର ଅଧ୍ୟୟନରେ, ଆମେ ପାଇଲୁ ଯେ କୋଭିଡ୍-୧୯ରେ ସଂକ୍ରମିତ ମା’ମାନଙ୍କ ଠାରୁ ସ୍ତନ୍ୟପାନରେ ସଂକ୍ରାମକ ଜେନେଟିକ୍ ପଦାର୍ଥ ଥିବାର କୌଣସି ପ୍ରମାଣ ନାହିଁ ଏବଂ ନା ଶିଶୁମାନେ ସଂକ୍ରମିତ ହୋଇଥିବା ନେଇ କ୍ଲିନିକାଲ୍ ପ୍ରମାଣ ମିଳିଲା ନାହିଁ। ଯାହା ସୂଚିତ କରୁଛି ଯେ ସ୍ତନ୍ୟପାନ ଦ୍ୱାରା ନବଜାତକ ଶିଶୁ କୋଭିଡ୍-୧୯ ସଂକ୍ରମିତ ହେବାର ସମ୍ଭାବନା ନାହିଁ କିମ୍ବା କୋଭିଡ୍ ଆକ୍ରାନ୍ତ ମହିଳାମାନେ ସେମାନଙ୍କର ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ଭୂତାଣୁ ଦ୍ୱାରା ସଂକ୍ରମିତ କରିବାର କୌଣସି ବିପଦ ମଧ୍ୟ ନାହିଁ।