ନୂଆଦିଲ୍ଲୀ ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ମେନ୍ସ ପରୀକ୍ଷାର କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ। ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ୟୁପିଏସସି ନିଯୁକ୍ତି ମୁଖ୍ୟ ପରୀକ୍ଷା ଜାନୁଆରି ୭ ରୁ ୧୬ ପର୍ଯ୍ୟନ୍ତ ହେବ ବୋଲି ତାରିଖ ଘୋଷଣା ସରିଛି। ହେଲେ ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା। ଏହି ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ପରୀକ୍ଷା ସ୍ଥଗିତ ହେବ ନାହିଁ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି ଏବଂ ପରୀକ୍ଷା ସ୍ଥଗିତ ରଖିବାର ଆବେଦନକୁ ଖାରଜ କରି ଦେଇଛନ୍ତି।
ୟୁପିଏସସି ପକ୍ଷରୁ ଥିବା ଓକିଲ କୌଶିକ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ, “ଦ୍ବିତୀୟ ଲହର ସମୟରେ ମଧ୍ୟ ସୁପ୍ରିମକୋର୍ଟ ଏଭଳି ଏକ ଆବେଦନକୁ ଖାରଜ କରିଥିଲେ। ୩ବର୍ଷ ହେଲାଣି ମହାମାରୀ ସହ ଆମେ ଲଢ଼ୁଥିବା ବେଳେ ଏଭଳି ପ୍ରତି ଥର ପରୀକ୍ଷା ସ୍ଥଗିତ ରଖିବା ଉଚିତ ନୁହେଁ। ଆମକୁ ସତର୍କ ରହି ପୂର୍ବ ଭଳି କାମ କରିବାକୁ ହେବ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପରୀକ୍ଷା ଅକ୍ଟୋବର / ନଭେମ୍ବରରେ ହେବାର ଥିଲା। ଆମେ ଏହାକୁ ଜାନୁଆରିରେ କରୁଛୁ। ଯଦି ଅଧିକ ବିଳମ୍ବ ହୁଏ ତେବେ ୟୁପିଏସସି ସମ୍ବିଧାନ ଦ୍ୱାରା ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ପରିଚାଳନା କରିବାରେ ସକ୍ଷମ ହେବ ନାହିଁ। ଘରେ ବସିଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି କାରଣ ଏହି ଭୂତାଣୁ ଅତ୍ୟଧିକ ସଂକ୍ରାମକ ଅଟେ। ଏଭଳି ପରିସ୍ଥିତିରେ ପରୀକ୍ଷା ସ୍ଥଗିତ ରଖିବା ଠିକ୍ ହେବ ନାହିଁ।