ଅମ୍ବାଲାରେ ଅବତରଣ କଲା ରାଫେଲ,ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ କହିଲେ- ଏବେ ଦେଶର ଶତ୍ରୁ ନିଜର ଚିନ୍ତା କରନ୍ତୁ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି। ଆଜି ସକାଳେ ୟୁନାଇଟେଡ୍ ଆରବ ଏମିରେଟ୍ସ୍ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିଥିଲା। ଏହାପରେ ଦୁଇଟି ସୁଖୋଇ ଯୁଦ୍ଧବିମାନ ରାଫେଲଗୁଡ଼ିକୁ ପାଇଲଟ କରି ଅମ୍ବାଲା ଏୟାରବେସକୁ ଆଣିଥିଲା। ଏହା ଫଳରେ ରାଫେଲର ୭୦୦୦ କିଲୋମିଟରର ଯାତ୍ରା ଶେଷ ହୋଇଛି। ତେବେ ଆଜି ଭାରତ ପାଇଁ ଏକ ବଡ ଦିନ ହୋଇଥିବା ବେଳେ ଏକ ନିଆରା ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ରାଫେଲକୁ ସ୍ୱାଗତ କରିଥିବା ଦେଖାଯାଇଛି | ସଂସ୍କୃତ ଶ୍ଳୋକ ଲେଖି ଅବତରଣ ସମୟର ଭିଡ଼ିଓ ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ |
![](https://i0.wp.com/kalingajyoti.com/wp-content/uploads/2020/07/rafale-12.jpg?resize=433%2C288&ssl=1)
![](https://kalingajyoti.com/wp-content/uploads/2020/07/8150a254-238c-4a7c-88a7-da07ed3ff90f-1-1024x576.jpg)
राष्ट्ररक्षासमं पुण्यं,
राष्ट्ररक्षासमं व्रतम्,
राष्ट्ररक्षासमं यज्ञो,
दृष्टो नैव च नैव च।।
नभः स्पृशं दीप्तम्…
स्वागतम्! #RafaleInIndia pic.twitter.com/lSrNoJYqZO— Narendra Modi (@narendramodi) July 29, 2020
![](https://i0.wp.com/kalingajyoti.com/wp-content/uploads/2020/07/download-6-10.jpg?resize=409%2C306&ssl=1)
![](https://kalingajyoti.com/wp-content/uploads/2020/07/download-7-6.jpg)
କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହନ୍ତି ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟୁଇଟ କରି ରାଫେଲକୁ ସ୍ୱାଗତ କରିଥିବା ଦେଖାଯାଇଛି | ସୂଚନା ମୁତାବକ, ଆଜି ଅପରାହ୍ଣରେ ଭାରତର ବାୟୁସୀମାରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ତରଫରୁ ପାଞ୍ଚଟି ରାଫେଲ୍ ଜେଟ୍କୁ ସ୍ବାଗତ କରାଯାଇଥିଲା। ରାଫେଲ୍ ଜେଟ୍ର ପାଇଲଟଙ୍କୁ ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍ଏସ୍ କୋଲ୍କାତା କହିଥିଲା, ‘ସଗୌରବ ଆକାଶ ସ୍ପର୍ଶ କର। ଶୁଭାବତରଣ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍ ପାଇଲଟ୍ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ।’
![](https://i0.wp.com/kalingajyoti.com/wp-content/uploads/2020/07/bc721df4-46ae-43f6-a632-ef8219f9299a-1024x576.jpg?resize=437%2C245&ssl=1)
ଯେଉଁ ଶକ୍ତିଶାଳୀ ଲଢୁଆ ବିମାନ ରାଫେଲକୁ ବର୍ଷ ବର୍ଷ ଧରି ଅପେକ୍ଷା କରାଯାଇଥିଲା, ଶେଷରେ ଆଜି ଅପରାହ୍ନରେ ପାଞ୍ଚ ଲଢୁଆ ଜେଟ୍ ଅମ୍ବାଲା ଏୟାରବେସ୍ରେ ଗର୍ଜନ କରି ଅବତରଣ କରିଛି। ଏହା ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶକୁ ଏହାର ସୂଚନା ଦେଇଛନ୍ତି ଯେ, ଲଢୁଆ ରାଫେଲ ବିମାନ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଅବତରଣ କରିଛି। ସେ ଟ୍ଵିଟ୍ କରିଛନ୍ତି ଭାରତରେ ରାଫେଲ ଲଢୁଆ ବିମାନ ପହଞ୍ଚିବା ଆମ ସୈନ୍ୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ।
![](https://kalingajyoti.com/wp-content/uploads/2020/07/cb8e910e-4a47-446a-8212-c8406cca663b-1-1024x576.jpg)
![](https://i0.wp.com/kalingajyoti.com/wp-content/uploads/2020/07/download-5-7.jpg?resize=419%2C314&ssl=1)
ରାଜନାଥ ସିଂହ ଟ୍ଵିଟ୍ କରି କହିଛନ୍ତି ଭାରତୀୟ ବାୟୁସେନାକୁ ମୋର ଅଭିନନ୍ଦନ। ମୋତେ ବିଶ୍ଵାସ ଯେ ୧୭ ସ୍କ୍ଵାଡ୍ରନ, ଗୋଲଡେନ୍ ଏରୋ ନିଜର ମିଶନ ଉପରେ କାମ କରି ଚାଲିବ। ମୁଁ ବହୁତ ପ୍ରସନ୍ନ ଯେ ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ସମୟନୁସାରେ ବଢି ଚାଲିଛି। ଉଲ୍ଲେଖନୀୟ ଭାରତରେ ପ୍ରଥମ ଦଫାରେ ୫ ରାଫେଲ ବିମାନ ଏମିତି ସମୟରେ ପହଞ୍ଚିଛି ଯେବେ ପୂର୍ବ ଲଦାଖରେ ପ୍ରାୟ ତିନି ମାସ ହେବ ଚୀନ ସହିତ ଉତ୍ତେଜନା ଲାଗି ରହିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଫେଲର ଅମ୍ବାଲା ଏୟାରବେସ୍ରେ ଅବତରଣର ଭିଡିଓ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଠିକ୍ ନିଷ୍ପତ୍ତି ଏବଂ ଫ୍ରାନ୍ସ ସରକାରଙ୍କ ସହିତ ଉଚିତ୍ ବୁଝାମଣା ଯୋଗୁଁ ରାଫେଲ କିଣା ଯାଇ ପାରିଛି। ଏହା ପୂର୍ବରୁ ଦୀର୍ଘ ସମୟ ଧରି କ୍ରୟ ପ୍ରକ୍ରିୟା ଅଟକି ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସାହସିକ ନିଷ୍ପତ୍ତି ପାଇଁ ଧନ୍ୟବାଦ ଦେଉଛି।
![](https://kalingajyoti.com/wp-content/uploads/2020/07/08rafale9.jpg)
ରାଜନାଥ ଏହା ମଧ୍ୟ କହିଛନ୍ତି ରାଫେଲ୍ ବିମାନ ଏଥିପାଇଁ କ୍ରୟ କରାଗଲା କାରଣ ଏହା ଭାରତୀୟ ବାୟୁସେନାର ଅପରେସନ ଅଭିଯାନର ଆବଶ୍ୟକତାକୁ ପୂରା କରିପାରୁଥିଲା। କ୍ରୟ ନେଇ ପୂର୍ବରୁ ଲଗାଯାଇଥିବା ଅଭିଯୋଗ ଆଧାହୀନ ଏବଂ ଏହା ଉପରେ ଆମେ ସବୁ ଉତ୍ତର ଦେଇ ସାରିଛୁ। ସୂଚନାଯୋଗ୍ୟ, ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।