
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ଭାରତୀୟ ବାୟୁସେନାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଗୁରୁବାର ଆନୁଷ୍ଠାନିକ ଭାବେ ସର୍ବଧର୍ମ ପୂଜା ପରେ ସାମିଲ କରାଯାଇଛି। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ସିଡିଏସ ବିପିନ ରାଓ୍ବାତ, ବାୟୁସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନାରେ ୫ଟି ରାଫେଲ ସାମିଲ କରାଯାଇଛି। ଅକ୍ଟୋବର ଆଉ ୩ରୁ ୪ଟି ରାଫେଲ ଆସିବ। ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସ ମୋଟ ୩୬ଟି ଫାଇଟର ଜେଟ ଦେବାର ଚୁକ୍ତି ହୋଇଛି। ଏହି ୩୬ଟି ଫାଇଟର ଜେଟ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଚୁକ୍ତି ହୋଇଛି।

ସୂଚନାଯୋଗ୍ୟ ଗତ ମାସ ୨୯ ତାରିଖରେ ୫ଟି ଯାକ ରାଫେଲ ଯୁଦ୍ଧବିମାନ ଭାରତରେ ଆସି ପହଞ୍ଚିଥିଲା। ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ବିମାନବାହିନୀରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଦଫାରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ପାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ସିଙ୍ଗିଲ ସିଟେଡ୍ ବିମାନ ଥିବାବେଳେ ୨ଟି ଡବଲ ସିଟେଡ୍ ବିମାନ ରହିଛି।