କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତନ ସୂଚନା; ସହଯୋଗୀ ଦଳକୁ ମିଳିବ ଆଉ ୪ ମନ୍ତ୍ରୀ ପଦ, ସୁଶୀଲ ମୋଦୀଙ୍କୁ ବି ଦିଆଯିବ ବଡ଼ ବିଭାଗ

0 275
greentech

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ  ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି । ତଥାପି ଦ୍ବିତୀୟ ପାଳି ସରକାରର ଦୁଇ ବର୍ଷ ପୂର୍ତି ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁ ସାମିଲ ହେବାର ସମ୍ଭାବନା ରହିଛି। ଏନଡ଼ିଏର ସହଯୋଗୀ ଦଳ ମଧ୍ୟରୁ କେବଳ ରାମଦାସ ଅଠାୱାଲେଙ୍କ ବ୍ୟତୀତ ଅନ୍ୟ କେହି ମନ୍ତ୍ରୀ ନାହାନ୍ତି, ସେହିପରି ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡ଼ିଏ ସରକାର ଗଠନ ପରେ କେନ୍ଦ୍ରରେ ନୀତିଶଙ୍କ ଦଳ ଜେଡ଼ିୟୁରୁ କିଛି ମନ୍ତ୍ରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଆଗାମୀ ବର୍ଷ ମଧ୍ୟଭାଗରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଯାଉଥିବାରୁ ସେହି ରାଜ୍ୟରୁ ଆଉ ଜଣକୁ ମନ୍ତ୍ରୀ କରାଯାଇପାରେ ବୋଲି କୁହାଯାଉଛି ।  କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ୭୧ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବାର ପ୍ରାବଧାନ ରହିଛି, ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମୋଟ ୫୪ ଜଣ ମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ମନ୍ତ୍ରୀ ପଦ ସପକ୍ଷରେ ନାହାନ୍ତି, ତଥାପି ଆହୁରି ୫ ରୁ ୬ ଜଣ ନୂଆ ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଏଲଜେପିରୁ ରାମବିଳାଶ ପାଶ୍ବାନଙ୍କ ପରଲୋକ ହୋଇଛି, ଅକାଳି ଦଳରୁ ହରସିମରତ ସିଂହ ବାଦଲ ଇସ୍ତଫା ଦେଇଛନ୍ତି, ଶିବସେନା ସହ ସମ୍ପର୍କ ତୁଟିବା ପରେ ସେହି ଦଳର ମନ୍ତ୍ରୀ ମଧ୍ୟ କ୍ୟାବିନେଟ ଛାଡ଼ିଛନ୍ତି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବା ସହ କିଛି ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ହୋଇପାରେ । ଏହା ସହ ଅତ୍ୟଧିକ କିଛି ମନ୍ତ୍ରୀଙ୍କ ଉପରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ବ ମଧ୍ୟ ଅପସାରଣ କରାଯିବାର ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଭାଗ ପରିବର୍ତନ କରାଯାଇପାରେ ଏବଂ ବିହାରରୁ ନିର୍ବାଚିତ ହେବାକୁଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇପାରେ ବୋଲି ଆକଳନ ଚାଲିଛି । ନିର୍ମଳାଙ୍କୁ ଅନ୍ୟ ଏକ ଗୁରୁତ୍ବପୂଣ୍ଣ ବିଭାଗ ଦାୟିତ୍ବ ମିଳିବା ସମ୍ଭାବନା ରହିଛି ।

ରାଜ୍ୟସଭା ଉପ-ନିର୍ବାଚନରେ ​​ସୁଶୀଲ କୁମାର ମୋଦୀ ପ୍ରାର୍ଥୀ ହୋଇଛନ୍ତି। ଏନଡିଏର ଶକ୍ତି ଅନୁଯାୟୀ, ସେ ନିର୍ବାଚିତ ହେବା ନିଶ୍ଚିତ | ତାଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ବିଜେପି ମନସ୍ଥ କରିଛି ।  ସୁଶୀଲ କୁମାର ମୋଦୀ ପ୍ରାୟ ୧୪ ବର୍ଷ ଧରି ବିହାରର ଅର୍ଥମନ୍ତ୍ରୀ ରହିଥିଲେ ଓ ଜିଏସଟି ଆଇନ ପ୍ରସ୍ତୁତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆର୍ଥିକ ବିଷୟଗୁଡ଼ିକ ଉପରେ ତାଙ୍କର ଗଭୀର ଜ୍ଞାନ ରହିଛି । ତାଙ୍କୁ ମୋଦୀ ସରକାରରେ ଅର୍ଥ କିମ୍ବା ବାଣିଜ୍ୟ ବିଭାଗ ମିଳିପାରେ ବୋଲି ଆଲୋଚନା ହେଉଛି । ସୁଶୀଲ ମୋଦୀଙ୍କୁ ଜିଏସଟି ବିଶେଷଜ୍ଞ ଭାବରେ ଗଣାଯାଏ ଓ ସେ ଜିଏସଟି ନେଟୱାର୍କ ନିମନ୍ତେ ଗଠିତ ମନ୍ତ୍ରୀ ଦଳର ସଭାପତି ରହିଥିଲେ । ୨୦୧୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବିହାରର ତତ୍କାଳୀନ ମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଜିଏସଟି ଚିଠା  କମିଟିର ସଭାପତି ଭାବରେ ନିଯୁକ୍ତ କରିଥିଲେ।

ପଶ୍ଚିମବଙ୍ଗର ଅସୀମ ଦାସଗୁପ୍ତଙ୍କ ନେତୃତ୍ୱରେ ଜିଏସ୍ଟି ପ୍ରସ୍ତୁତ କରିବାକୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା। ୨୦୧୧ରେ ଯେତେବେଳେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାରର ପତନ ଘଟିଲା ସେତେବେଳେ ଅସୀମ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଓ ଏହାପରେ ସୁଶୀଲ ମୋଦୀ କମିଟିର ଅଧ୍ୟକ୍ଷ ରହିଥିଲେ ।   ଯେତେବେଳେ ନୀତୀଶ କୁମାର ୨୦୧୩ରେ ବିଜେପି ସହ ସମ୍ପର୍କ ତୁଟାଇ ଦେଲେ ସେତେବେଳେ ସୁଶୀଲ ଜିଏସଟି ଗ୍ରୁପ ଅଫ୍ ମିନିଷ୍ଟର ପଦରୁ ଇସ୍ତଫା ଦେଇଥିଲେ । ମାତ୍ର  ୨୦୧୭ ରେ ନୀତୀଶ କୁମାର ପୁଣିଥରେ ବିଜେପି ସହିତ ସରକାର ଗଠନ କଲାବେଳେ ସୁଶୀଲ କୁମାର ମୋଦୀ ବିହାରର ଅର୍ଥମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପୁନର୍ବାର ଜିଏସଟି କମିଟି ମୁଖ୍ୟ ରହିଥିଲେ ।

ମାତ୍ର ଏବେ ସୁଶୀଲ ମୋଦୀ ବିହାର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନାହାନ୍ତି ଓ ତାଙ୍କୁ ଦିଲ୍ଲୀରେ ନୂଆ ଦାୟିତ୍ବ ଦିଆଯିବ ବୋଲି ବିଜେପି ଇଙ୍ଗିତ ଦିଆଯାଇଛି । ସମ୍ପ୍ରତି ଅର୍ଥ ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କ ନିକଟରେ ଓ ବାଣିଜ୍ୟ ମନ୍ତ୍ରଣାଳୟ ପୀୟୂଷ ଗୋଏଲଙ୍କ ନିକଟରେ ରହିଛି । ତେଣୁ ସୁଶୀଲ ମୋଦୀଙ୍କୁ ଏହାମଧ୍ୟରୁ ଗୋଟିଏ ବିଭାଗ ମିଳିବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ରରୁ ସୂଚନା ମିଳିଛି । କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଭାରତର ଆର୍ଥିକ ସ୍ଥିତି କରୋନା ଯୋଗୁଁ ନିମ୍ନଗାମୀ ହୋଇଛି ।  ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡ଼ିପି ୨୩.୯% ହ୍ରାସ ପାଇଛି, ଯାହା ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ । ଏହାକୁ ନେଇ ଅନେକ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନିଜର ଆସ୍ଥା ସ୍ଥାପନ କରିଛନ୍ତି । ଏହି ସ୍ଥିତିରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତନ କାଳରେ ସୁଶୀଲ ମୋଦୀଙ୍କୁ କେଉଁ ପଦ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହା ସହ ସହଯୋଗୀ ଦଳଗୁଡ଼ିକୁ ଗୁରୁତ୍ବ ଦେବା ପ୍ରକ୍ରିୟାରେ କିଛି ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାର ସମ୍ଭାବନା କେନ୍ଦ୍ର ମନ୍ତ୍ରିମଣ୍ଡଳ ପରିବର୍ତନର ଆଭାସ ଦେଇଛି ।

Leave A Reply

Your email address will not be published.

4 × 3 =

error: Content is protected !!
Open chat