କୋଭିଡ୍-୧୯କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର ଏକ ଅପରାଧ : ନିବୃତ୍ତ ରହିବାକୁ ପରାମର୍ଶ ଦେଲା କ୍ରାଇମ୍ବ୍ରାଞ୍ଚ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: କୋଭିଡ୍-୧୯କୁ ନେଇ ଅପପ୍ରଚାର ଅପରାଧ। ମାର୍ଚ୍ଚରୁ ଅଗଷ୍ଟ ଭିତରେ ରାଜ୍ୟ ପୁଲିସର ବିଭିନ୍ନ ଥାନାରେ ୭୩ଟି ମାମଲା ରୁଜୁ ହେଲାଣି। ଏହାକୁ ନେଇ ସରକାରଙ୍କ ସହ ପୁଲିସ ମଧ୍ୟ କଠୋର ହୋଇଛି। ଏଣୁ ସମସ୍ତେ ସୁଧୁରି ଯାଅ। କୋଭିଡ୍କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର କଲେ ବିପଦରେ ପଡ଼ିପାରନ୍ତି ବୋଲି ସତର୍କ କରିଛି କ୍ରାଇମ୍ବ୍ରାଞ୍ଚ।
![](https://i0.wp.com/kalingajyoti.com/wp-content/uploads/2020/08/download-2-13.jpg?resize=412%2C330&ssl=1)
କୋଭିଡ୍-୧୯ ଏକ ମହାମାରୀ। ସମସ୍ତଙ୍କ ପାଇଁ ନୂଆ। ଏଣୁ ଏହାକୁ ନେଇ ସମସ୍ତେ ସମ୍ବେଦନଶୀଳ। ସମସ୍ତେ ଏହା ସମ୍ବନ୍ଧରେ ଜାଣିବାକୁ ଉତ୍ସୁକ। ଏଣୁ କୌଣସି ପ୍ରକାରର ଗୁଜବ ମଧ୍ୟ ଲୋକ ତୁରନ୍ତ ଗ୍ରହଣ କରିପାରନ୍ତି। ଫଳରେ ଏହା ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ କିମ୍ବା ଜୀବନ ମଧ୍ୟ ନେଇ ପାରେ। ଏଣୁ ସମସ୍ତେ ଏଥିରୁ ନିବୃତ୍ତ ରହି କୋଭିଡ୍ ମୁକାବିଲାରେ ସହଯୋଗ କରନ୍ତୁ ବୋଲି କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି କି, କ୍ରାଇମ୍ବ୍ରାଞ୍ଚ ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖିଛି। ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ଏଭଳି ଅପପ୍ରଚାର କରୁଛନ୍ତି କିମ୍ବା ପ୍ରସାରଣ ପାଇଁ ଉସୁକାଉଛନ୍ତି ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ପାରେ। କିଏ, କେଉଁଠୁ, କେତେବେଳେ ଏଭଳି ଅପପ୍ରଚାର କଲା ତାହାର ମଧ୍ୟ ଛାନ୍ଭିନ୍ କରାଯାଉଛି।
ନିକଟ ଅତୀତରେ କୋଭିଡ୍ ବିରୋଧରେ ଅପପ୍ରଚାର କରି ଦୁଇଜଣ ଯୁବକ ଗିରଫ ହୋଇଥିଲେ। ଏମାନଙ୍କର ଫୋନ୍ରେ କଥାବାର୍ତ୍ତାକୁ ନିଜର ସୋସିଆଲ ମିଡିଆ ପୃଷ୍ଠାରେ ଖବର ତିଆରି କରିବା ଅଭିଯୋଗରେ ଏକ ବୈଦ୍ୟୁତିକ ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କୁ ହାଜର ହେବା ପାଇଁ କମିସନରେଟ୍ ପୁଲିସ ନୋଟିସ କରିଥିଲା।
![](https://i0.wp.com/kalingajyoti.com/wp-content/uploads/2020/08/images-4-12.jpg?resize=433%2C295&ssl=1)
![](https://kalingajyoti.com/wp-content/uploads/2020/08/images-48.jpg)
ଅଦ୍ୟାବଧି ଏ ମାମଲା ଥମିନାହିଁ। ପୁଲିସର ନୋଟିସ ସତ୍ବେ ସମ୍ପୃକ୍ତ କର୍ତ୍ତୃପକ୍ଷ ହାଜର ହୋଇ ନାହାନ୍ତି। ବରଂ ପୁଲିସ ଚାହିଥିବା ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିଲେ ମଧ୍ୟ ପୁଲିସ ଗ୍ରହଣ କରିନଥିବାରୁ ଡିସିପିଙ୍କ ନିକଟରେ କର୍ତ୍ତୃପକ୍ଷ ପାଲଟା ଅଭିଯୋଗ କରିଛନ୍ତି।