ଚାନ୍ଦବାଲି ଅଞ୍ଚଳରେ ବିକାଶର ଆଉ ଏକ ନଗ୍ନ ଚିତ୍ର : ପକ୍କା ରାସ୍ତା ନ ଥିବାରୁ ଗାଁକୁ ଯାଇ ପାରିଲାନାହିଁ ଗାଡି, ସାଙ୍ଗୀ-ଦୋଳିରେ ବୁହାହୋଇ ଚିକିତ୍ସା ହେବାକୁ ଗଲେ ୭୦ ବର୍ଷିୟା ବୃଦ୍ଧା
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୁଣି ଥରେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକରେ ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ୟହୋଇ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ସାଙ୍ଗୀ-ଦୋଳିରେ ବୁହା ହୋଇ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଛନ୍ତି ତାଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ ଚଡଦିଆ ପଂଚାୟତର ହରେକୃଷ୍ଣପୁର ଗ୍ରାମରେ ।
![](https://i0.wp.com/kalingajyoti.com/wp-content/uploads/2020/08/ccbl.jpg?resize=1024%2C546&ssl=1)
ପ୍ରାପ୍ତ ଖବର ମୁତାବକ, ଏହି ଗାଁର ରାନୀ ପରିଡା ନାମକ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଝାଡା ବାନ୍ତି ହେବାରୁ ପରିବାର ଲୋକେ ତୁରନ୍ତ ମେଡିକାଲ ନେବାକୁ ଚାରିଚକିଆ ଯାନକୁ ଫୋନ୍ କରିଥିଲେ । ମାତ୍ର ଗ୍ରାମ ରାସ୍ତା ଭଲ ନଥିବାରୁ ସମସ୍ତ ଗାଡି ନାସ୍ତିବାଣୀ ଶୁଣାଇଥିଲେ । ଫଳରେ ପରିବାର ଲୋକେ ବାଧ୍ୟହୋଇ ଏକ ପ୍ଲାଷ୍ଟିକ୍ ଦୋଳିରେ ସାଙ୍ଗୀ କରି ବୃଦ୍ଧାଙ୍କୁ ଶୁଆଇ କାଦୁଅ ପଚପଚ ରାସ୍ତାରେ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ଏକ ଅଟୋରେ ପାଖ ଚଡଦିଆ ବଜାରରେ ଚିକିତ୍ସିତ କରାଇ ଘରକୁ ସେହି ସାଙ୍ଗୀ ମାଧ୍ୟମରେ ଫେରିଥିବାର ଜଣାପଡିଛି । ତେବେ ଏହି ରାସ୍ତା ସଂପର୍କରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ପକ୍କା ସଡକଟିଏ ହୋଇପାରୁ ନଥିବା ବିଷୟ କହିଛନ୍ତି ହରେକୃଷ୍ଣପୁର ଗ୍ରାମବାସୀ ବୃନ୍ଦ ।
![](https://kalingajyoti.com/wp-content/uploads/2020/08/cbl-1-1024x543.jpg)