ଜନସାଧାରଣଙ୍କ ଅନୁରୋଧ ମାନିଲା ପ୍ରଶାସନ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ସ୍ୱାଧୀନତା ଦିବସରେ ସଟ୍ଡାଉନ ହେବନି ସମ୍ବଲପୁର ଜିଲା – ଜିଲ୍ଲାପାଳ ଦେଲେ ସୂଚନା
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ ରହିବ ନାହିଁ। ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍ଡାଉନ କଟକଣା। ଏନେଇ ଜିଲାପାଳ ଶୁଭମ ସାକ୍ସେନା ଏକ ବିଜ୍ଞପ୍ତି ଜରିଆରେ ଅଗଷ୍ଟ ୧୫ ତାରିଖ ଏବଂ ୨୨ଓ ୨୩ ତାରିଖ ସଟ୍ଡାଉନକୁ ବାତିଲ କରିବା ସହ ଅଗଷ୍ଟ ୧୬ ଓ ୧୭ ତାରିଖ ଯଥାକ୍ରମେ ସୋମବାର ଓ ମଙ୍ଗଳବାର ସମଗ୍ର ଜିଲାରେ ସଟ୍ଡାଉନ ରହିବ ବୋଲି ନିର୍ଦେଶନାମା ଜାରି କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଏହି ସୂଚନା ଦେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/08/new.jpg?resize=821%2C361&ssl=1)
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାପାଳ ଅଗଷ୍ଟ ମାସ ତମାମ ସମ୍ବଲପୁର ଜିଲାରେ ସମସ୍ତ ଶନିବାର ଓ ରବିବାର ସଟ୍ଡାଉନ ଘୋଷଣା କରିଛନ୍ତି। ତେବେ, ତୃତୀୟ ଶନିବାର ସ୍ୱାଧୀନତା ଦିବସ ଓ ଚତୁର୍ଥ ଶନିବାର ଶ୍ରୀଗଣେଶ ପୂଜା ଏବଂ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡ଼ୁଥିବାରୁ ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଜିଲା ପ୍ରଶାସନକୁ ସଟ୍ଡାଉନ ଦିବସ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଗଣପର୍ବ ନୂଆଁଖାଇ ସମୟରେ ସଟ୍ଡାଉନ କଟକଣା କୋହଳ କରିବାକୁ ଅନୁରୋଧ କରିଥିଲେ।
ଜିଲ୍ଲାପାଳ ଶ୍ରୀ ସକ୍ସେନା କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ସାପ୍ତାହନ୍ତ (ଶନିବାର ଓ ରବିବାର) ସଟ୍ଡାଉନ ଚାଲିଛି। ଅଗଷ୍ଟ ୧୫ ଶନିବାର ପଡୁଥିବାରୁ ଏହି ଦିନ ଜିଲ୍ଲାକୁ ସଟ୍ଡାଉନ୍ ରଖାଯିବ ନାହିଁ। ସେହିଭଳି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ନୂଆଖାଇ ଆସନ୍ତା ୨୩ ତାରିଖରେ ପଡୁଛି। ନୂଆଖାଇ ପୂର୍ବଦିନ ଅର୍ଥାତ ଅଗଷ୍ଟ ୨୨ ତାରିଖ (ଶନିବାର) ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ। ଏହାକୁ ଦୃଷ୍ଟିରେ ରଖି ୨୨ ତାରିଖ ଦିନ ସଟ୍ଡାଉନ୍ ବାତିଲ କରାଯାଇଥିବା ବେଳେ ୨୩ ତାରିଖରେ ନୂଆଖାଇ ଯୋଗୁଁ ସଟ୍ଡାଉନ୍ କୋହଳ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଅଗଷ୍ଟ ୧୬ ଏବଂ ୧୭ (ରବିବାର ଓ ସୋମବାର) ସମ୍ବଲପୁର ଜିଲ୍ଲାରେ ସଟ୍ଡାଉନ୍ ରହିବ।
![](https://kalingajyoti.com/wp-content/uploads/2020/08/images-2-8.jpg)