ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ସରାକର ଅଧିକ ଅର୍ଥ ବରାଦ କରନ୍ତୁ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

0 457
greentech

ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶାରେ ବିଦ୍ୟାଳୟ ଶିକ୍ଷା ୱେବିନାର


କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୮: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ
ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ ଅର୍ଥର ୮୦ ଭାଗ ଯୋଗାଇଦେବା ଆବଶ୍ୟକ । ଏହା କହିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।


ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ), ଓଡିଶା ଆଲାଏନ୍ସ ର ଚାଇଲ୍ଡ ରାଇଟସ(ଓଏସିଆର) ଏବଂ ଏନଏସିଜି ଇଭିଏସି, ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ‘ଜାତୀୟ ଶିକ୍ଷାନୀତି ୨୦୨୦ ଓ ଓଡିଶାର ବିଦ୍ୟାଳୟ ଶିକ୍ଷାଦାନ ଉପରେ ଏହାର ପ୍ରଭାବ’ ଶୀର୍ଷକ ୱେବିନାରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଦେଶରେ ଏକକ ଶିକ୍ଷାନୀତି ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ବିଭାଗର ନାମ ବଦଳାଇ ଶିକ୍ଷା ବିଭାଗ କରିବା ଏବଂ ନୂତନ ଶିକ୍ଷାନୀତିରେ ୩ବର୍ଷ ବୟସରୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିବା ସାମଗ୍ରିକ ଭାବେ ସ୍ୱାଗତଯୋଗ୍ୟ । ହେଲେ କେନ୍ଦ୍ର ସରକାର ଏଥିରେ ଆର୍ଥିକ ବ୍ୟବସ୍ଥା ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଏଥିପାଇଁ କିଏ କେତେ ପରିମାଣର ଅର୍ଥ ବ୍ୟବସ୍ଥା କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାର ୮୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ ଆର୍ଥିକ ବୋଝ ବହନ ପାଇଁ ପ୍ରସ୍ତାବ ଦେଇଛନ୍ତି ।


କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡିଶା ଆଲାଏନ୍ସର ଚାଇଲ୍ଡ ରାଇଟସ(ଓଏସିଆର) ଓ ଏନଏସିଜି ଇଭିଏସି, ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ ମହାନ୍ତି ନୂତନ ଶିକ୍ଷାନୀତି ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ୱେବିନାରରେ ଅଂଶଗ୍ରହଣ କରି ବରିଷ୍ଠ ପ୍ରଶାସକ ତଥା ଏସ୍‍ସିଇଆରଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ କହିଥିଲେ ଯେ ଜାତୀୟ ଶିକ୍ଷାନୀତି-୨୦୨୦ ଏକ ଉତମ ଯୋଜନା ଏବଂ ଏହାକୁ ନେଇ ପ୍ରଶ୍ନ କରିବାର ନାହିଁ । ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେତେକ ଦିଗପ୍ରତି ବିଶେଷ ଦୃଷ୍ଟି ହେବାକୁ ପଡିବ । ବିଶେଷକରି ଅଙ୍ଗନବାଡି ଗୁଡିକର ପୁର୍ନଗଠନ, ପାଠ୍ୟକ୍ରମ ପରିବର୍ତନ, ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଭଳି ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତନ ହେବ । ଗୁଜୁରାଟସ୍ଥିତ ପଣ୍ଡିତ ଦୀନ ଦୟାଲ ପଟ୍ରୋଲିୟମ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରେ‘ସର ଡକ୍ଟର ସୀତାକାନ୍ତ ମିଶ୍ର କହିଥିଲେ ଯେ ୧୯୮୬ ମସିହାରେ ଶେଷ ଶିକ୍ଷାନୀତି ପ୍ରସ୍ତୁତ ହୋଇଥିଲା । ବର୍ତମାନ ଭାରତ ବହୁ ଆଗକୁ ଯାଇଥିବାରୁ ନୂତନ ଶିକ୍ଷାନୀତିର ଆବଶ୍ୟକ ଥିଲା ଯାହା ଜାତୀୟ ଶିକ୍ଷାନୀତି-୨୦୨୦ ପୂରଣ କରିପାରିବ । ଓଡିଶାରେ ଏବେ ନାରୀମାନେ ଆଗକୁ ଆସୁଛନ୍ତି । ତେଣୁ ସେମାନଙ୍କ ଦ୍ୱାରା ଶିକ୍ଷାର ସ୍ୱପ୍ନ ପୂରଣ ହୋଇପାରିବ । ୩ରୁ ୬ବର୍ଷ ବୟସର ପିଲାଙ୍କ ଶିକ୍ଷାଦାନ ଆରମ୍ଭ କରିବାକୁ ହେଲେ ପ୍ରଥମେ ଭିତିଭୂମି ଆବଶ୍ୟକତା ପୂରଣ କରିବାକୁ ହେବ । ନୂତନ ବ୍ୟବସ୍ଥାରେ ମ୍ମାହ୍ନଭୋଜନ ସହିତ ସକାଳ ଜଳଖିଆ ପ୍ରଦାନ ଭଳି ବ୍ୟବସ୍ଥା ରହିଥିବାବେଳେ ଏଥିରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସୁବିଧ ପାଇବାକୁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ ।


ଜେଏନୟୁର ପୂର୍ବତନ ପ୍ରଫେସର ଡକ୍ଟର ଅଜିତ ମହାନ୍ତି କହିଥିଲେ ଯେ ନୂଆ ଶିକ୍ଷାନୀତିରେ ୫ମ ଶ୍ରେଣୀଯାଏ ମାତୃଭାଷା ଓ ଆଂଚଳିକ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି । ଏହା ବେଶ ଭଲ ପଦକ୍ଷେପ । ୮ମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷା ଦିଆଯାଇପାରିଲେ ଆହୁରି ଭଲ ହେବ । ଏହାଦ୍ୱାରା ଓଡିଶାର ପିଲାମାନେ ଭଲ ପ୍ରଦର୍ଶନ କରିବେ । ତେବେ ମାତୃଭାଷା ପରେ ଇଂରାଜୀ ଓ ହିନ୍ଦୀ ଭାଷାରେ ଶିକ୍ଷାଦାନ ସହିତ ଇଂରାଜୀ ଭାଷାର ପ୍ରଭାବ ନେଇ ସମୀକ୍ଷା କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ କହିଥିଲେ ଯେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ ପାଇଁ ଆମକୁ ଭିତିଭୂମି ବିକାଶ କରିବା ସହିତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ପଡିବ । ମାଧ୍ୟମିକ ସ୍ତରରେ ସେମିଷ୍ଟାର ଢାଂଚାରେ ପରୀକ୍ଷା କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ସେହିଭଳି ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷାକୁ ଅଗ୍ରାଧିକାର ଦିଆଯାଇଥିବାରୁ ପିଲାମାନେ ବେଶ ଉପକୃତ ହୋଇପାରିବେ । ଏଫଆଇଏସଇର ସଭାପତି ପ୍ରଫେସର ଅମୀୟ ମହାନ୍ତି ନୂତନ ଶିକ୍ଷାନୀତିରେ ଯେଉଁ ଢାଂଚାଗତ ପରିବର୍ତନ କରାଯାଇଛି ତାହା କାର୍ଯ୍ୟକାରୀ କରିବାପାଇଁ ବିପୁଳ ଅର୍ଥ ଆବଶ୍ୟକ ହେଉଥିବାରୁ ଜିଡିପିର ୧୦ ପ୍ରତିଶତ ଶିକ୍ଷାରେ ବ୍ୟୟ ଲାଗି ପ୍ରସ୍ତାବ ଦେବା ସହିତ ଶିକ୍ଷାନୀତିକୁ ତରବରିଆ ଭାବେ ଲାଗୁ ନକରି ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା କରିବାକୁ କହିଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନର ପୂର୍ବତନ ଅ୍ମକ୍ଷା କସ୍ତୁରୀ ମହାପାତ୍ର ନୂତନ ଶିକ୍ଷାନୀତିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ନୂଆ ଶିକ୍ଷାନୀତି ଆଧାରରେ ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟାଳୟରେ ମିଶାଇବା ସହିତ ସେଠାରେ ଜଣେ ଜଣେ ସେବିକା ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବହୃତ ଆଂଚଳିକ ଭାଷାକୁ ପାଠପଢାରେ ବ୍ୟବହାର ପାଇଁ କହିଥିଲେ । ଶିକ୍ଷାବିତ ଡକ୍ଟର କୁମରବର ଦାସ ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବାବେଳେ ଓପନ ଲର୍ଣ୍ଣି ସିଷ୍ଟମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରକାଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ୱେବିନାରରେ ତିନି ଶହରୁ ଅଧିକ ବ୍ୟକ୍ତି ଭାଗ ନେଇଥିବାବେଳେ ଅନେକ ସେମାନଙ୍କ ସୁଚିନ୍ତିତ ପରାମର୍ଶ ପଠାଇଥିଲେ । ୱେବିନାର ପରିଚାଳନାରେ ପିକକର କାର୍ଯ୍ୟକର୍ତା ଡ.ସୁଚିତ୍ରା ମହାନ୍ତି , ମୋନାଲିସା ପାତ୍ର, ପ୍ରୀତମ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 − fifteen =

error: Content is protected !!
Open chat