![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଧର୍ମଗଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : କଳାହାଣ୍ଡି ଜିଲ୍ଲା ଧର୍ମଗଡଠାରେ ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପଞ୍ଚାୟତ ପଡିଆରେ ପାଳିତ ହୋଇଯାଇଛି । ତେବେ କରୋନା କଟକଣା ଯୋଗୁଁ କୋଭିତ-19 ନିର୍ଦେଶ ଅନୁଯାଇ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ସର୍ବ ପ୍ରଥମେ ରାମଧୁନ ପ୍ରଚାର କରାଯାଇ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଚାରିଛକ ସ୍ଥିତ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, କଚେରୀ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉପ-ଜ଼ିଲ୍ଲାପାଳଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସକାଳ ୦୯.୧୫ ମିନିଟରେ ଧର୍ମଗଡ ସହରସ୍ଥିତ ପଞ୍ଚାୟତ ପଡିଆଠାରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଉପ-ଜ଼ିଲ୍ଲାପାଳ ଦିବାକର ଟି.ଏସ. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତାରେ ବଳିଦାନ ଦେଇଥିବା ସମସ୍ତ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ୱାଧୀନତାକୁ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। କରୋନା ମହାମାରୀ ଯୋଗୁଁ ଅନେକ ଦେଶ ଓ ରାଜ୍ୟ କଡାକଡ଼ି ମୁକାବିଲା ଜାରି ରଖିଛନ୍ତି, ଯେଉଁଥିରେ ଆମେ ସମସ୍ତେ ମଧ୍ୟ ଜାଗ୍ରତ ହେବା ସହ ସଚେତନ ହେବା ଓ ଏହି ମହାମାରୀକୁ ସମ୍ପୂର୍ଣ ପରାସ୍ତ କରିବା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୋଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/08/er-2.jpg?resize=1024%2C493&ssl=1)
ତେବେ କରୋନା କଟକଣା ଯୋଗୁଁ ଏହି ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପୋଲିସ ପ୍ରଶାସନ ତରଫରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ପରେଡରେ ଅଂଶଗ୍ରହଣ କରି ମୁଖ୍ୟଅତିଥିଙ୍କୁ ଅଭିବାଦନ ଜଣାଇଥିଲେ। ସ୍ଥାନୀୟ ସ୍ୱରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରି ଥିଲେ ।
ଏହି ଅଭିଭାଷଣ ମଞ୍ଚରେ ଧର୍ମଗଡରେ ଥିବା ସମସ୍ତ କରୋନା ଯୋଦ୍ଧା, ଡାକ୍ତର, ପୋଲିସ, ନର୍ସ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ୭୪ତମ ସ୍ୱାଧୀନତା ଦିବସର ସମସ୍ତ କାର୍ଯ୍ୟକ୍ରମ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ-ଅଧିକାରୀ ରମେଶ ସିଂ ପରିଚାଳନା କରିଥିଲେ।