
- ରାଉରକେଲା ନିକଟସ୍ଥ ବେଦବ୍ୟାସରୁ, ଗତକାଲି ବିଳମ୍ବିତ ରାତି ଏକ ଗୋରୁ ବୋଝେଇ ପିକ୍ଅପ୍ ଜବତ – ଡ୍ରାଇଭର୍ ଗିରଫ, ହେଲ୍ପର ଫେରାର ।
- ଆଇନ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ବେଖାତିର ଅପରାଧୀ : ବାରମ୍ବାର ନିର୍ଦ୍ଦିଷ୍ଟ ଅଞ୍ଚଳ ଗୋରୁ-ତଷ୍କରିରେ ସମ୍ପୃକ୍ତ !!
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୯ା୦୭ : ଗତକାଲି ସକାଳେ ବିଶ୍ରା ଛକ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଜବତ ହୋଇଥିବା ବେଳେ ପୁଣି ଗତକାଲି ରାତି ପ୍ରାୟ ସାଢେ ଦଶଟା ବେଳେ ରାଉରକେଲା ବେଦବ୍ୟାସ ନିକଟରୁ ଆଉ ଏକ ଗୋରୁ ବୋଝେଇ ପିକ୍ଅପ୍ ଜବତ ହୋଇଛି । ପୁଲିସ୍ ଚାଳକକୁ ଗିରଫ କରିଥିବା ବେଳେ ହେଲ୍ପର ଫେରାର୍ ହୋଇ ଯାଇଛି। ପିକ୍ଅପଟିକୁ ଜବତ କରି ପୁଲିସ ଘଟଣାର ତଦନ୍ତ କରୁୁୁୁଥିବା ସୂଚନା ରହିଛି ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳର ଖତଖୁରବାହାଲରୁ ଗୋରୁଗୁଡିକୁ ରାଉରକେଲା ବାଟେ ବିଶ୍ରା ଚାଲାଣ କରାଯାଉଥିଲା । ସେହି ସମୟରେ ବଜରଙ୍ଗ ଦଳ କର୍ମୀ ସୁରଜ ଝା, ମୋହିତ ରାଠି, ଚନ୍ଦ୍ରକାନ୍ତ ପ୍ରଧାନ, ଶିବ ପ୍ରସାଦ, ରମେଶ ରଜକ ପ୍ରମୁଖ ଗାଡିକୁ ଧରି ବ୍ରାହ୍ମଣୀ ତରଙ୍ଗ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଆସି ସେଠାରେ ପହଞ୍ଚି ଗାଡ଼ିରୁ ୧୧ ଗୋରୁଙ୍କୁ ଉଦ୍ଧାର କରି ବେଦବ୍ୟାସ ଗୋଶାଳାକୁ ପଠାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ସକାଳ ପ୍ରାୟ ସାତଟାରେ ବିଶ୍ରା ଛକ ସିଆଇଏସଏଫ ଗେଟ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଜବତ ହୋଇଥିଲା । ହେଲପର ଗିରଫ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଫେରାର ହୋଇ ଯାଇଥିଲେ । ଗୋରୁମାନଙ୍କୁ ସୁନ୍ଦରଗଡ଼ କୁତ୍ରା ଖତଖୁରବାହାଲରୁ ବିଶ୍ରା ଚାଲାଣ କରାଯାଉଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କୁତ୍ରା ଖତଖୁରବାହାଲରୁ ବିଶ୍ରା, ଝାରଖଣ୍ଡ ଆଦି ଅଞ୍ଚଳକୁ ମାସକୁ ପ୍ରାୟ ୨୦ ରୁ ୩୦ ଗାଡି ଗୋ ଚାଲାଣ ହେଉଛି ।