ମଦ ନିଶା କାଳ ହେଲା: ଖାଦ୍ୟରେ ବିଷ ମିଶାଇଦେଲା ବାପା, ପରିବାରର ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

0 288
greentech

ମାଲକାନଗିରି: ମଦ ନିଶାରେ ହିତାହତ ଭୁଲିଗଲା ବା‌ପା। ଖାଦ୍ୟରେ ମିଶାଇଦେଲା ବିଷ। ଆଉ ଏହାର ଭୟଙ୍କର ପରିଣତି ଭୋଗିଲେ ପୂରା ପରିବାର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ବିଷ ମିଶା ଭାତ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ପାଖ ପଡ଼ୋଶୀ ସମସ୍ତଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଧୁଙ୍ଗିଆପୁଟ ପଞ୍ଚାୟତ କାଳିଆନାୟକଗୁଡ଼ା ଗାଁର ନରସିଂହ ମାଝୀ ଗତକାଲି ରାତିରେ ମଦ୍ୟପାନ ପରେ ଘରକୁ ଫେରିଥିଲା। ନିଶାସକ୍ତ ଅବସ୍ଥାରେ ‌ରୋଷେଇ ଘରେ ପଶିଥିଲା। ମଦ୍ୟପ ସ୍ବାମୀର ଅସ୍ବାଭାବିକ ଆଚରଣ ଦେଖି ବିରକ୍ତି ପ୍ରକାଶ କରି ପତ୍ନୀ ରୋଘେଇ ଘରୁ ଚାଲି ଆସିଥିଲା। ଏହାପରେ ଜମିରେ ପକାଇବା ପାଇଁ ରହିଥିବା କୀଟନାଶକ ଔଷଧକୁ ନରସିଂହ ଭାତ ହାଣ୍ଡିରେ ପକାଇ ଚାଲି ଆସିଥିଲା। ଏ ନେଇ କେହି କିଛି ଜାଣିପାରି ନଥିବାରୁ ରାତିରେ ତାହାକୁ ଖାଇଥିଲେ। କିଛି ସମୟରେ ପତ୍ନୀ ପୂର୍ଣ୍ଣ ମାଝିଙ୍କ ସହ ଦୁଇ ଝିଅ ଗୌରୀ (୧୦), ସୁମିତ୍ରା (୧୨), ପୁଅ ବାସୁଦେବ (୧୫) ଓ ଭଣଜା ବନ୍ଧୁ ନାୟକ ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ବିଷ ଜ୍ବାଳାରେ ସମସ୍ତେ ଚିତ୍କାର କରିବାରୁ ପାଖ ପଡ଼ୋଶୀ ଲୋକ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶେଷ ଖବର ସୁଦ୍ଧା ସାନ ଝିଅ ଗୌରୀ ବ୍ୟତୀତ ଅନ୍ୟ ସମସ୍ତେ ସୁସ୍ଥ ହୋଇ ସାରିଲେଣି। ସମସ୍ତଙ୍କୁ ନିରୀକ୍ଷଣରେ ରଖାଯାଇଛି। ସଂପୂର୍ଣ୍ଣ ସୁସ୍ଥ ହେବାପରେ ଘରକୁ ଛଡ଼ାଯିବ ବୋଲି ଜଣାଯାଇଛି। ଖବର ପାଇ ମାଥିଲି ପୁଲିସ ଗାଁରେ ପହଞ୍ଚିଥିଲା। ଅଭିଯୁକ୍ତ ନିରସିଂହକୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ତେବେ ସେ ଭାତରେ ଲୁଣ ପକାଇବା ବଦଳରେ ଭୁଲବଶତଃ ବିଷ ମିଶାଇ ଦେଇଥିବା କହିଛି। ସୁସ୍ଥ ହେବାପରେ ପରିବାର ଲୋକଙ୍କ ବୟାନ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଜୋନ୍ କୁଜୁର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

3 × 5 =

error: Content is protected !!
Open chat