ରାଉରକେଲା: ପ୍ଲାଜମା ବ୍ୟାଙ୍କ ଉଦଘାଟନ ଲାଗି ସରକାରୀ କଳର ବ୍ୟସ୍ତତା – ନେଇଗଲା ସୁନାମଧନ୍ୟ କଳାକାରଙ୍କ ଜୀବନ ! !

0 507
greentech
ରାଉରକେଲା,ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଓ ଉଦଘାଟନ ଲାଗି ପୁରା ଶାସନ କଳ ସହ ବ୍ୟସ୍ତ ଥିବା ବେଳେ ସାମାନ୍ୟ ଜ୍ୱରର ଚିକିତ୍ସା କଲେନି ଡାକ୍ତର । 

ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡିବା ଭିତରେ ଚାଲିଗଲା ସୁନାମଧନ୍ୟ ଗାୟକ ସଞ୍ଜୟ ତନ୍ତୀଙ୍କ ଜୀବନ !! 

ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮: ସାଧାରଣ ଜ୍ୱରରେ ପୀଡ଼ିତ ଥିବା ରାଉରକେଲା ସହରର ଜଣେ ସୁନାମ ଧନ୍ୟ କଳାକାର ସଞ୍ଜୟ ତନ୍ତୀ ଓ ତାଙ୍କ ପରିବାର ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡି ଦଉଡି ସେବା ନପାଇବାରୁ ଶେଷରେ କଳାକାର ସଞ୍ଜୟଙ୍କର ପ୍ରାଣ ବାୟୁ ଚାଲିଜିବା ଘଟଣା ଆଜି ସମଗ୍ର ସହରକୁ ସ୍ତବ୍ଧ କରିଦେଇ ଥିବା ବେଳେ, ସରକାରଙ୍କ ଆଦେଶ କେତେ ଏଠାରେ ପାଳନ ହେଉଛି ତଥା ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆମ ବଡ ବାବୁ ମାନେ କେତେ ତତ୍ପର ତାହା ମଧ୍ୟ ଷ୍ପଷ୍ଟ ହୋଇଛି । ଏପଟେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଓ ଉଦଘାଟନ ଲାଗି ସରକାରୀ ବ୍ୟବସ୍ଥା ଆଇଜିଏଚରେ ପୁରା ଶାସନ କଳ ସହ ବ୍ୟସ୍ତ ଥିବା ବେଳେ ସେହି ଡାକ୍ତରଖାନାରୁ ଜଣେ ସାଧାରଣ ରୋଗୀ ସେବା ନପାଇ ଫେରିବା ଓ ପରେ ମୃତ୍ୟୁ ମୁଖରେ ପଡିବା ସାଧାରଣରେ ନାନା କଥା ଉଠାଇଛି ।

ସୂଚନା ଅନୁଯାୟୀ, ଗତକାଲି ସଞ୍ଜୟ ଜ୍ୱର ସାଙ୍ଗକୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଙ୍କ ମା, ପତ୍ନୀ ଓ ଝିଅ ଧରି, ସି ଡବ୍ଲୁସି ଡାକ୍ତରଖାନା, ଆଇଜିଏଚ, ଜୟପ୍ରକାଶ ଡାକ୍ତରଖାନା ଓ ସରକାରୀ ଡାକ୍ତରଖାନା କୁ ଦଉଡିଥିଲେ । ପ୍ରଥମେ ଜୟପ୍ରକାଶ ଡାକ୍ତରଖାନା ଠାରେ ଜ୍ୱର, ନିମୁନିଆ, ଟାଇଫଏଡ ଓ କୋଭିଡ୍‌ ପରୀକ୍ଷା କରାଇବାରୁ କୋଭିଡ ନଥିବା ଜଣାପଡିଥିଲା । ତଥାପି ଡାକ୍ତର ତାଙ୍କୁ ମେଡ଼ିକାଲରେ ଆଡମିଟ୍‌ ନକରିବାରୁ ସେମାନେ ଆଇଜିଏଚ ଆସିଥିଲେ । ସେଠାରେ ପୁଣି କୋଭିଡ୍‌ ପରୀକ୍ଷା ହେବାରୁ ତାହା ନେଗେଟିଭ ଆସିଥିଲା, କିନ୍ତୁ ସେମାନେ କୌଣସି ଚିକିତ୍ସା ନକରି ତାଙ୍କୁ ଫେରାଇ ଦେଇଥିଲେ । ପରେ ସି ଡବ୍ଲୁସି ଡାକ୍ତରଖାନା ତାପରେ ପୁଣି ଜୟପ୍ରକାଶକୁ ଯାଇ ନୟାନ୍ତ ହେବା ପରେ ସରକାରୀ ଡାକ୍ତରଖାନାକୁ ସେମାନେ ସଞ୍ଜୟଙ୍କୁ ଧରି ଆସିଥିଲେ, କିନ୍ତୁ ସଞ୍ଜୟଙ୍କୁ ସେମାନେ ବଂଚାଇପାରିନଥିଲେ । ସେଠାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ଓ ମା ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ବାରମ୍ବାର କହିଛନ୍ତି ସାଧାରଣ ଜ୍ୱର, ଥଣ୍ଡା ଆଦି ମାମଲାରେ ଡାକ୍ତରଖାନା ମାନେ ଚିକିତ୍ସା ସେବା ଯୋଗାଇଦେବାକୁ ବାଧ୍ୟ । ନଚେତ୍‌ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ, ହେଲେ ସବୁ ଆଦେଶନାମା ଏଠି ଫେଲ୍‌ ମାରିଛି । ଫଳରେ ସବୁଦିନ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ହୁଅନ୍ତୁ କିମ୍ବା ସାଧାରଣ ଜନତା ସବୁ ଯାଗାରେ ସେବା ନପାଇ ଫେରିଚାଲିଛନ୍ତି । ହେଲେ ସଙ୍ଗୀତ କଳାକାର ସଞ୍ଜୟ ସେହି ଦଉଡରେ ନିଜକୁ ସାମିଲ୍‌ କରି ହାରିଗଲେ । କେହି ଶୁଣିଲେନି । ଆଜି ତାଙ୍କ ପତ୍ନୀ ରମିତା ତନ୍ତୀ ଓ ମା ଏନେଇ ଅଭିଯୋଗ କରିଛନ୍ତି । ତାଙ୍କ ମା କାନ୍ଦି କାନ୍ଦି ମିଡିଆ ଆଗରେ କହିଛନ୍ତି ମୋ ପୁଅକୁ କେହି ଦେଖିଲେନି, ସେ ମରିଗଲା, ଏବେ ମୋ ପୁଅକୁ କିଏ ଆଣିଦେବ ।

ଏଠାରେ ଉଲ୍ଲେଖଯୋଗ୍ୟ, ସେହି ମା ଜଣକ ପୂର୍ବରୁ ବଡ ପୁଅକୁ ମଧ୍ୟ ହରାଇଛନ୍ତି । ସଞ୍ଜୟ ଜଣେ କଳାକାର ହିସାବରେ ବିଭିନ୍ନ ମଂଚରେ ସଂଗୀତ ପରିବେଷଣ କରି ନିଜ ପରିବାର ପୋଷଣ କରୁଥିଲେ । ୨ ଝିଅ, ପତ୍ନୀ ଓ ମାଙ୍କୁ ନେଇଥିଲା ତାଙ୍କ ପରିବାର । ସେ ଚାଲିଜିବା ପରେ ଏ ପରିବାର ଏବେ କେମିତି ଏ ସହରରେ ପେଟକୁ ଗଣ୍ଡେ ଖାଇବାକୁ ପାଇବ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଅନ୍ୟପକ୍ଷରେ ରାଉରକେଲା ଶାସନ ବ୍ୟବସ୍ଥା ଯଦି ଏହିଭଳି ଚାଲେ ତେବେ ଆଗକୁ ସଞ୍ଜୟଙ୍କ ପରେ ପୁଣି କାହାର ପାଳି ପଡିବ ବୋଲି ଆଲୋଚନା ହେବା ସହିତ ଏହି ମାମଲାରେ ସରକାରଙ୍କ ଆଇନ କାନୁନ ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.

15 − six =

error: Content is protected !!
Open chat